ଛେଣ୍ଡିପଦା – ବର୍ତ୍ତମାନ ସରକାରରେ ଜନସେବାକୁ ଅଗ୍ରାଧିକାର ମିଳିଛି । ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ତ୍ବରିତ ପଦକ୍ଷେପ ନିଆଯାଉଛି । ସରକାର ଏବଂ ଜନତାଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ପାଇଁ ଡବଲ ଇଞ୍ଜିନ ସରକାର କଟିବଦ୍ଧ ବୋଲି ଗୁରୁବାର ଅନୁଗୋଳ ଛେଣ୍ଡିପଦାରେ ଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳକୁ ବିକାଶର ପଥରେ ଆଗେଇ ନେବା ପାଇଁ ଡବଲ ଇଞ୍ଜିନ ସରକାରର ପ୍ରାୟ ୪୪.୮୮ କୋଟି ମୂଲ୍ୟର ୩୪ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୮.୯ କୋଟି ମୂଲ୍ୟର ୧୯ଟି ପ୍ରକଳ୍ପ ପାଇଁ ଭୂମିପୂଜନ କରିଥିଲେ । ଜନସଭାକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରରେ ନିର୍ବାଚନ ସମୟରେ ଦିଆଯାଉଥିବା ପ୍ରତିଶ୍ରୁତିକୁ ପାଳନ କରାଯାଉଛି ।
ରାଜ୍ୟର ସର୍ବବୃହତ ଖଣି ଅଞ୍ଚଳ ସହ ଅନୁଗୋଳର ଐତିହାସିକ ପଟ୍ଟଭୂମି, ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ସଂଗ୍ରାମ, ପ୍ରଜାମଣ୍ଡଳ ଆନ୍ଦୋଳନ, ଅନୁଗୋଳ ଜିଲ୍ଲା ଗଠନ, ମହାତ୍ମା ଗାନ୍ଧୀଙ୍କ ଅନୁଗୋଳ ଆଗମନ, ଓଡ଼ିଶା ବିଚ୍ଛିନ୍ନାଞ୍ଚଳ ଏକତ୍ରିକରଣ ଆଦିରେ ଅନୁଗୋଳର ସୁଦୀର୍ଘ ଇତିହାସ ରହିଛି । ସେହି ଅନୁଗୋଳ ଜିଲ୍ଲାରେ ଥିବା ଲୋକମାନଙ୍କୁ ମୌଳିକ ସୁବିଧା ସହ ସେମାନଙ୍କୁ ବାସଗୃହ, ପାନୀୟ ଜଳ, କୃଷି ଓ ଜଳସେଚନ ସୁବିଧା, ସ୍ବାସ୍ଥ୍ୟସେବା, ରୋଜଗାର ପ୍ରଦାନ କରିବା ସହିତ ଏଠାରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଶିଳ୍ପର ବିକାଶ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବଦ୍ଧ ପରିକର ବୋଲି ଶ୍ରୀ ପ୍ରଧାନ ସମବେତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ ନିର୍ମାଣ ଶ୍ରମିକ ଯୋଜନା, ଅନ୍ତୋଦୟ ଗୃହ ଯୋଜନା, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ତୋଳାଳୀ, ଆୟୁଷ୍ଠାନ କାର୍ଡ, ବସୁନ୍ଧରା ପଟ୍ଟା, ଶ୍ରୀ ଅନ୍ନ ଅଭିଯାନ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, କିଷାନ କ୍ରେଡିଟ୍ ଆଦି ଯୋଜନାରେ ହିତାଧିକାରୀଙ୍କୁ ସରକାରୀ ସହାୟତା ରାଶି ବିତରଣ କରିଥିଲେ ।
ଆହିର ଏହି ଛେଣ୍ଡିପଦା ଗସ୍ତ ବେଳେ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା , ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ , ପାଲଲହଡା ବିଧାୟକ ଅଶୋକ ମହାନ୍ତିଙ୍କ ସମେତ ବହୁ ନେତା ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

