ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ସେଠାରେ ଥିବା ଏକ ଜିମ୍ ରୁ ବାୟାମ କରି ବାହାରିବା ବେଳେ ପାଞ୍ଚଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଭୁଜାଲି ଓ ଖଣ୍ଡାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଜୀବନ ବିକଳରେ ଦୌଡ଼ି ପଳାଇ ଆସିବା ପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ସୂଚନା ଅନୁସାରେ, ଘଣ୍ଟପଡ଼ା ଗ୍ରାମର ଦେବାଶିଷ ସାହୁ ଆଜି ସକାଳୁ ହାଣ୍ଡିଧୂଆଁ ଛକ ନିକଟରେ ଥିବା ବଜରଙ୍ଗି ଜିମ୍ ସେଣ୍ଟରକୁ ବାୟାମ କରିବାକୁ ଆସିଥିଲେ । ସେଠାରୁ ସେ ଘରକୁ ବାହାରୁଥିବା ବେଳେ ହଠାତ ପାଞ୍ଚ ଜଣ ଯୁବକ ମୁଖା ପିନ୍ଧି ଆସି ସଙ୍ଘବଦ୍ଧ ଭାବେ ତାଙ୍କୁ ଖଣ୍ଡା ଭୂଜାଲି ଏବଂ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଜୀବନ ବିକଳରେ ଦେବାଶିଷ ଦୁର୍ବୁତଙ୍କ କବଳରୁ ଖସି ଆସିବାରେ ସକ୍ଷମ ହୋଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ରାସ୍ତାରେ ପଡ଼ିଥିବା ଦେଖି ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରି ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡ , ପିଠି , ହାତ ସହିତ ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

