ତାଳଚେର ବଦନାମ – ବହୁ ବିଭ୍ରାଟ ଭିତରେ ହେଲା ଲଡୁ ନିଲାମ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଗଣପର୍ବ ପ୍ରଭୁ ଶ୍ରୀ ଗଜାନନଙ୍କ ପୂଜା ୨୭ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ତାଳଚେର ଗଣେଶ ପୂଜାର ମୁଖ୍ୟ ଆକର୍ଷଣ ଆଜ୍ଞା ଲଡୁ ଥାଏ । ପ୍ରତ୍ୟେକ ବର୍ଷ ଆଜ୍ଞା ଲଡୁର ଓଜନ ବଢି ଚାଲିଥିବା ବେଳେ ରେକର୍ଡ ଟଙ୍କାରେ ନିଲାମ ହୋଇଥାଏ । ଚଳିତ ବର୍ଷ ୬ ତାରିଖରେ କମିଟି ପକ୍ଷରୁ ଲଡୁ ନିଲାମ କାର୍ଯ୍ୟକ୍ରମ ରଖାଯାଇଥିଲା । ଯାହାକି ଚଳିତ ବର୍ଷ ସଂପୂର୍ଣ୍ଣ ଫିକା ପଡ଼ିଯାଇଥିଲା । କେବଳ ଯେ ଫିକା ପଡିଥିଲା ତା ନୁହେଁ । ବିଭିନ୍ନ ବିଭ୍ରାଟ କାରଣରୁ ସେଣ୍ଟ୍ରାଲ ପୂଜା କମିଟିକୁ ଅପଦସ୍ତ ହେବାକୁ ପଡିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ,  ଅସନ୍ତୁଷ୍ଟ ହୋଇ କେନ୍ଦ୍ରୀୟ ଗଣେଶ ପୂଜା କମିଟି ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ସଭାପତି ପଦରୁ ଇସ୍ତଫା ଦେବା ନେଇ ଖୋଲା ମଞ୍ଚରେ ପ୍ରକାଶ କଲେ ।

ସୂଚନା ଅନୁସାରେ, ପ୍ରଥମେ ଲଡୁ ଗଣେଶ ମନ୍ଦିର ପାଖରୁ ଆସି ନିଲାମ ମଣ୍ଡପ ପାଖରେ ପହଞ୍ଚିବା ପାଇଁ ଅପରାହ୍ନ ସାଢ଼େ ୪ ଟା ସମୟ କମିଟି ପକ୍ଷରୁ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ୬ ଟା ପରେ ଲଡୁ ମଣ୍ଡପ ପାଖରେ ପହଞ୍ଚିଲା । ପରେ ଲଡୁ ନିଲାମ ପାଇଁ ଅଂଶୀଦାର ମାନେ ବହୁ ବିଳମ୍ବ ପର୍ଯ୍ୟନ୍ତ ଲଡୁ ନିଲାମରେ ଭାଗ ନେଇନଥିଲେ । ଚଳିତ ବର୍ଷ ବହୁତ୍ କମ ସଂଖ୍ୟକ ଦର୍ଶକ ନିଲାମ ପେଣ୍ଡାଲ ପାଖରେ ଥିଲେ । କମିଟିର ବହୁ ଅନୁରୋଧ ପରେ ମାତ୍ର ୧୦ ଜଣ ଚଳିତ ଥର ଅଂଶ ଗ୍ରହଣ କରିଥିବା ବେଳେ ମାତ୍ର ୨ ରୁ ୩ ଜଣ ନିଲାମ ଡାକିଥିଲେ । ନିଲାମରେ ସର୍ବାଧିକ ୧୨ ଲକ୍ଷ ଡାକି ସୌଭାଗ୍ୟ ମହାରଣା ଆଜ୍ଞା ଲଡୁ ନିଲାମ ଧରିଲେ । ସନ୍ଧ୍ୟା ୭ ଟାରେ ନିଲାମ ଶେଷ ହୋଇଥିବା ବେଳେ ରାତି ୯ ଟା ପର୍ଯ୍ୟନ୍ତ ମଞ୍ଚରେ ଉପସ୍ଥିତ ଅତିଥି ଏବଂ କମିଟି ସଦସ୍ୟ ମାନେ ନିଲାମ ଜିତିଥିବା ଲୋକଙ୍କୁ ଅପେକ୍ଷା କରି ରହିଥିଲେ । ଶେଷରେ ଦର୍ଶକ ମାନେ କ୍ଷୁବ୍ଧ ହୋଇ ପେଣ୍ଡାଲ ପରିସରରୁ ପଳେଇଲେ । ୨୦୨୩ ମସିହାରେ ୨୨ ଲକ୍ଷ ୨୨ ହାଜର ୨୨୨ ଟଙ୍କାରେ ଲଡୁ ନିଲାମ ଯାଇଥିଲା । ୨୦୨୪ ମସିହାରେ ୧୯ ଲକ୍ଷରୁ ଅଧିକ ଟଙ୍କାରେ ନିଲାମ ଯାଇଥିଲା । କିନ୍ତୁ ଚଳିତ ଥର ୧୨ ଲକ୍ଷ ଟଙ୍କା ରେ ନିଲାମ ଡାକ ହେଲା କିନ୍ତୁ ନିଲାମ ଜିତିଥିବା ଅଂଶୀଦାର ପେଣ୍ଡାଲ ଛାଡି ପଳାଇ ଯାଇଥିଲେ ।

ପରେ କମିଟି ପକ୍ଷରୁ ଏଲ୍ ୨ ମାନେ ୧୧ ଲକ୍ଷ ୫୦ ହଜାର ଟଙ୍କା ରେ ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ଅନୁରୋଧ କରିଥିଲେ ଲଡୁ ନେବାପାଇଁ । କିନ୍ତୁ ସେ ରାଜି ନ ହେବାରୁ ଏଲ ୩ ଙ୍କୁ ପଚାରିଥିଲେ । କିନ୍ତୁ ୩ ଜଣ କେହି ଲଡୁ ନ ନେବାରୁ ପୁନର୍ବାର ନିଲାମ ଡାକ କାର୍ଯ୍ୟ ଚାଲିଥିଲା । ଯାହାକୁ ବିରୋଧ କରି ପେଣ୍ଡାଲ ତଳେ ଉତ୍ତେଜନା ଦେଖା ଯାଇଥିଲା । ତେବେ ଅସନ୍ତୋଷ ପ୍ରକାଶ କରି ଶେଷରେ ଉପଜିଲ୍ଲାପାଳ ପେଣ୍ଡାଲ ଛାଡି ପଳାଇଲେ । ଶେଷରେ ବହୁ କଷ୍ଟରେ ନିଲାମ ଡକା ଯାଇଥିବା ବେଳେ ପଟ୍ଟନାୟକ ବ୍ରଦର୍ସ ପକ୍ଷରୁ ମାତ୍ର ୪ ଲକ୍ଷ ୫୧ ହଜାର ଟଙ୍କାରେ ଆଜ୍ଞା ଲଡୁ ନିଲାମ ଯାଇଥିଲା । ତେବେ ସବୁ ବର୍ଷ ଠାରୁ ଅଧିକ ଓଜନ (୪ ଟନ) ଓଜନର ଲଡୁ ତିଆରି ହୋଇଥିବା ବେଳେ ଏତେ କମ ଟଙ୍କାରେ ନିଲାମ ଯିବାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ତାଳଚେରବାସୀ । ସେମାନଙ୍କ ଅଭିଯୋଗ ଯେ , ଲଡୁ ନିର୍ମାଣ ଆରମ୍ଭ ଦିନରୁ ହିଁ ବିଭ୍ରାଟ କରାଯାଇଛି । ବିନା ମାସ୍କ , ବିନା ଗ୍ଲୋଭସରେ ଲଡୁ ନିର୍ମାଣକାରୀ ମାନେ ଲଡୁ ନିର୍ମାଣରେ ଲାଗିଥିଲେ । ଗଜାନନଙ୍କ ପ୍ରସାଦ ନିର୍ମାଣ ହେଉଥିବା ସ୍ଥାନରେ ପିଆଜ , ରସୁଣ ଭଳି ଦ୍ରବ୍ୟ ରଖା ଯାଇଥିଲା । ଯାହା ଲୋକଲୋଚନକୁ ମଧ୍ୟ ଆସିଥିଲା । ଏପରିକି ସେହି ସ୍ଥାନରେ ମାଂସ ଭୋଜି ଖିଆ ଯାଇଥିବା ଭଳି କଥା ସହରରେ ଅପପ୍ରଚାର ହୋଇଥିଲା । ଏହା ସହ କିଛି କର୍ମକର୍ତ୍ତା କୌଣସି କଥାକୁ ଭ୍ରୁକ୍ଷେପ ନ କରି ନିଜ ମନଇଚ୍ଛା କାର୍ଯ୍ୟ କରିଥିବା ଯୋଗୁଁ ଏଭଳି ଅବସ୍ଥା ଭୋଗିବାକୁ ହେଲା ବୋଲି ସହରରେ ଚର୍ଚ୍ଚା ହେଉଛି । ଯେଉଁ ଘଟଣାକୁ ନେଇ ବିଶ୍ୱ ରେକର୍ଡ ହେବ ଏବଂ ତାଳଚେର ସହରର ପସିଦ୍ଧି ବଢିବ ବୋଲି ଚିନ୍ତା କର ଯାଉଥିଲା , ଆଣି ସେହି କଥା ପାଇଁ ତାଳଚେର ବଦନାମ ମୁଣ୍ଡେଇଲା ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Advertisement

Leave a Reply

Your email address will not be published. Required fields are marked *