ଅନୁଗୁଳ – ହତ୍ୟାକାରୀ ବାପ ପୁଅ ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅତିରିକ୍ତ ସେସନ ଜଜ ତଥା ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ।

ସୂଚନା ଅନୁସାରେ , ଗତ ୩୦. ୦୬. ୨୦୨୧ ଦିନ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବନ୍ତଳା ଥାନା ଅନ୍ତର୍ଗତ ବଡକନ୍ତକୁଳୁ ଗ୍ରାମର ବିଶ୍ୱନାଥ ସାହୁ ଏବଂ ତାଙ୍କ ପୁଅ ଶିଶିର ସାହୁ ଉଭୟେ ବନ୍ଧୁକ ଏବଂ ଟାଙ୍ଗିଆ ଧରି ସେହି ଗ୍ରାମର ଟୁଟୁ ବେହେରା ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ଉଦେଶ୍ୟରେ ଘରେ ପଶିଥିଲେ । ସେହି ସମୟରେ ଟୁଟୁ ବେହେରାଙ୍କ ପୁତୁରା ଅଖିଳ ବେହେରା ଏହାର ପ୍ରତିବାଦ କରିବାରୁ ଶିଶିର ଅଖିଳ ଉପରେ ଗୁଳି ଚଳାଇଥିଲା । ଫଳରେ ଅଖିଳଙ୍କର ମୃତ୍ୟୁ ହୋଇଯାଇଥିଲା । ତାପରେ ବିଶ୍ୱନାଥ ଟାଙ୍ଗିଆରେ ଟୁଟୁ ବେହେରାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ ବୋଲି ଟୁଟୁ ବେହେରା ସେତେବେଳେ ବନ୍ତଳା ଥାନାରେ ଲିଖିତ ଏତେଲା ଦେଇଥିଲେ । ଫଳରେ ପୁଲିସ ଏକ ମମଲା ରୁଜୁ କରି ଉଭୟ ବାପ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । କିନ୍ତୁ ଆଜି (ସୋମବାର) ଦିନ ମାନ୍ୟବର ଅତିରିକ୍ତ ସେସନ ଜଜ ତଥା ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ଏହି ମାମଲାର ଶୁଣାଣି କରି ହତ୍ୟାକାରୀ ବାପ ବିଶ୍ୱନାଥ ସାହୁ ଏବଂ ପୁଅ ଶିଶିର ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଡ଼ିସିନାଲ ପିପି ତାପସ ରଞ୍ଜନ ମିଶ୍ର ଏବଂ ଆଡ଼ିସିନାଲ ପିପି ଧୂର୍ବ ଚରଣ ସାହୁ ପରିଚାଳନା କରିଥିଲେ।