କବିତା ଆସର ଅନୁଷ୍ଠିତ

ଅନୁଗୁଳ – ଗତ ତା ୨୧. ୦୮. ୨୦୨୪ ରିଖ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗାନ୍ଧିମାର୍ଗ, ଅନୁଗୁଳଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ “ବର୍ଷାଗୀତି” କବିତା ଆସର ଓ “ସାହିତ୍ୟରେ ବର୍ଷା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଅତିଥିମାନଙ୍କ ଦ୍ବାରା ଦୀପ ପ୍ରଜ୍ବଳନ ପରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଅନୁଗୋଳର ସମ୍ପାଦକ ଶ୍ରୀ ଦୁର୍ଯ୍ୟୋଧନ ସାହୁ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ଭାଷା ସାହିତ୍ୟର ବିକାଶ ନିମିତ୍ତ ଲେଖା ଓ ଲେଖକଙ୍କ ସହ ପାଠକ ଓ ପୃଷ୍ଠପୋଷକର ଗୁରୁତ୍ୱ ସମ୍ପର୍କରେ କହିଥିଲେ । ତତ୍ପରେ ଅନୁଷ୍ଠାନର ଅଧକ୍ଷ୍ ତଥା ଏହି ସାହିତ୍ୟ ଆସରର ସଭାପତି ଏକାଧାରରେ ଜଣେ ସୁବକ୍ତା, ସୁସାହିତ୍ଯିକ, କବି ଓ ଲେଖକ ତଥା ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମାନନୀୟ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସର ମହୋଦୟ ସ୍ବାଗତ ଭାଷଣ ଦେଇ ସାହିତ୍ୟରେ ବର୍ଷାର ଉପସ୍ଥିତିକୁ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ଦାଶ ମହୋଦୟ ସାରଳା ଯୁଗରୁ ଧରି ଆଜିର ଆଧୁନିକ ଯୁଗର ସାହିତ୍ୟ ପର୍ଯ୍ୟନ୍ତ ସାହିତ୍ୟରେ ବର୍ଷା କିପରି ଭରି ରହିଛି ତାହା ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ ।ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡ. କାହ୍ନୁଚରଣ ପାଢ଼ି କବିତା କିପରି ନିୟମ ନ ମାନି ସ୍ବତଃ ମନରୁ ଲେଖିହୋଇଯାଏ ତାହା ଅତି ଉତ୍ତମ ଭାବେ ବର୍ଣ୍ଣନା କରିଥିଲେ । ଅନୁଷ୍ଠାନର ସଂଯୋଜକ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରାମକୃଷ୍ଣ ତ୍ରିପାଠୀ ମହୋଦୟ ଏହି ଭଳି ଏକ ଜାତୀୟ ସ୍ତରର ଅନୁଷ୍ଠାନର ସାଙ୍ଗଠନିକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହା ସହିତ ଆଗାମୀ ଅତିବଡ଼ି ଜଗନ୍ନାଥ ଦାଶ ଜୟନ୍ତୀ ପାଳନ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ବିଶିଷ୍ଟ ଔପନ୍ୟାସିକା, ଗାଳ୍ପିକା ତଥା କବି ଶ୍ରୀମତୀ ଗାୟତ୍ରୀ ଦାସ ଏବଂ କବି ଓ ସୁଲେଖିକା ଶ୍ରୀମତୀ ଗୋଲାପ ନନ୍ଦଙ୍କ ଚମତ୍କାର କବିତା ସଂଯୋଜନାରେ କବି ଶ୍ରୀଯୁକ୍ତ ସଦାନନ୍ଦ ପରିଡ଼ା, କବି ନିରଞ୍ଜନ ପତି, ସନତ କୁମାର ନାୟକ, ଗୀତାମୟୀ ମହାପାତ୍ର, ମନୋଜ କୁମାର ବେହେରା, ସାନନ୍ଦ ପରିଡ଼ା, ସୁଶୀଲ କୁମାର, ଶାନ୍ତିଲତା ରଥ, ସରୋଜିନୀ ଦେଇ, ଧୀରେନ ମିଶ୍ର, ଯଦୁମଣି ସାହୁ ଆଦି ପ୍ରାୟ ଚାଳିଶ ଜଣ କବି ଯୋଗ ଦେଇ ବର୍ଷା ସମ୍ପର୍କିତ ସ୍ବରଚିତ କବିତାମାନ ପାଠ କରିଥିଲେ । ପରିଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁ ସଭାରେ ସଂଶ୍ଲିଷ୍ଟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପରେ ସଭା ସାଙ୍ଗ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page