ଅନୁଗୁଳ – ଆଜି (ଗୁରୁବାର) ଥିଲା ବାହାଘର । ବରଯାତ୍ରୀ ଧରି , ରୋଷଣୀ କରି ଆସିଥାନ୍ତେ ଆଉ ବେଦିରେ ବସି ହାତଗଣ୍ଠି ପଡ଼ିଥାନ୍ତା । ହେଲେ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ପୁଲିସ ଘରୁ ଉଠାଇ ଆଣିଲା ।

ସୂଚନା ଅନୁସାରେ ଅନୁଗୁଳ ସାଂକସିଙ୍ଗା ଗାଁର ଲିପୁନ ସାହୁ ଅନୁଗୁଳ ଶିକ୍ଷକପଡ଼ାରେ ଭଡା ଘର ନେଇ ରୁହନ୍ତି । ଲିପୁନଙ୍କ ବାପାଙ୍କର ଏକ ହୋଟେଲ ଥିବା ବେଳେ ଜରପଡା ଥାନା ଅଞ୍ଚଳର ଜଣେ ମହିଳା ସେହି ହୋଟେଲରେ କାମ କରୁଥିଲେ । ମହିଳାଙ୍କ ସହ ପରିଚୟ ପରେ ଲିପୁନଙ୍କର ମହିଳାଙ୍କ ଝିଅ ସହ ପ୍ରଥମେ ପରିଚୟ , ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରାୟ ୧୦ ବର୍ଷ ଧରି ଉଭୟଙ୍କ ସମ୍ପର୍କ ରହିବା ପରେ ଲିପୁନ ଝିଅ ସହ କିଛି ମାସ ହେଲା ଆଉ ମିଳାମିଶା ନ କରିବା ସହ ବାହାଘର ପାଇଁ ଅନ୍ୟତ୍ର ଝିଅ ଦେଖିଥିଲା । ପ୍ରତାରଣା ହୋଇଥିବା ଜାଣିପାରି ଯୁବତୀ ଜଣଙ୍କ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ଲିପୁନ ଅନ୍ୟ ଏକ ସ୍ଥାନରେ ଝିଅ ଦେଖିବା ସହ ବିଭାଘର ପାଇଁ ପ୍ରସ୍ତୁତି କରିଥିଲେ । ଆଜି (ଗୁରୁବାର) ତାଙ୍କର ବାହାଘର ହୋଇଥାନ୍ତା । ହେଲେ ପୁଲିସ ଗତକାଲି ରାତିରେ ଶିକ୍ଷକପଡ଼ାରୁ ଲିପୁନକୁ ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଉଠାଇ ଆଣିଥିଲା । ଆଉ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ତେବେ ହାତଗଣ୍ଠି ପଡିବା ପୂର୍ବରୁ ଯୁବକଙ୍କ ହାତରେ ହାତକଡି ପଡିବା ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି ।

