ଆମ୍ବୁଲାନ୍ସରେ କୁକୁର ନେବା ପାଇଁ ହତ୍ୟାକାଣ୍ଡ – ଦୁଇ ହଜାର ଟଙ୍କା ପାଇଁ ହୋଇଥିଲା ଗଣ୍ଡଗୋଳ

ଅନୁଗୁଳ – ଅନୁଗୁଳ ହରିମଉରୀ ଛକରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ ପରେ ଜଣେ ଭାଇଙ୍କ ମୃତ୍ୟୁ ଘଟଣାରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ମାତ୍ର ଦୁଇ ହଜାର ଟଙ୍କା ପାଇଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାହୁଲ ଅନୁରାଗ ସାହୁଙ୍କ ଏକ ପୋଷା କୁକୁର ଦେହ ଖରାପ ଥିବାରୁ ତାକୁ ସୌରଭ ବାସାକଙ୍କ ଆମ୍ବୁଲାନ୍ସରେ କଟକ ନେଉଥିଲେ । ଆମ୍ବୁଲାନ୍ସ ବାବଦକୁ ରାହୁଲ ୨ ହଜାର ଟଙ୍କା ସୌରଭଙ୍କୁ ଦେଇ କୁକୁର ନେଇ ଯାଉଥିବା ବେଳେ ବାଟରେ ଆମ୍ବୁଲାନ୍ସ ଖରାପ ହୋଇଥିଲା । ଆମ୍ବୁଲାନ୍ସ ଖରାପ ହେବାରୁ ରାହୁଲ ଆଉ ଏକ ଆମ୍ବୁଲାନ୍ସ ନେଇ କୁକୁରର ସ୍ୱାସ୍ଥ୍ୟ ପରୀକ୍ଷ କରି ଯାଇଥିଲେ । ସେଠାରୁ ଫେରିବା ପରେ ରାହୁଲ ଦେଇଥିବା ୨ ହଜାର ଟଙ୍କା ସୌରଭଙ୍କୁ ଫେରେଇବା ପାଇଁ କହିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିଲା । ତେବେ ରାତିରେ ରାହୁଲ ତାଙ୍କର କିଛି ଲୋକ ନେଇ ସୌରଭ ଓ ତାଙ୍କ ଭାଇ ସୌଭାଗ୍ୟ ବାସାକଙ୍କୁ ହରିମଉରୀ ଛକ ନିକଟକୁ ଡାକିଥିଲେ । ଦୁଇ ଭାଇ ଆସିବା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ରାହୁଲ ଓ ତାଙ୍କ ସହଯୋଗୀ ମାନେ ଚାପଡ଼ ଓ ଭୁଜାଲିରେ ଆକ୍ରମଣ କରିବାରୁ ଦୁଇ ଭାଇ ଗୁରୁତର ହୋଇଥିଲେ । କଟକ ନେବା ବାଟରେ ସାନ ଭାଇ ସୌଭାଗ୍ୟଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ରାହୁଲ ଅନୁରାଗ ସାହୁ ସମେତ ମନୋଜ ବେହେରା ଓ ସମ୍ବିତ ସାହୁକୁ ଗିରଫ କରିଛି । ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର , ୪ ଟି ମୋବାଇଲ ଫୋନ ଏବଂ ଏକ ଆମ୍ବୁଲାନ୍ସ ଜବତ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page