ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହାଁ ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ

ଭୁବନେଶ୍ୱର- ଅନୁଗୁଳ ଜିଲ୍ଲା କଣିହଁ ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିରେ ପବିତ୍ର ମୋହନ ସେତୁ ନାମରେ ନାମିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୧ ତାରିଖରେ 5T ସଚିବ ଶ୍ରା ଭି.କେ. ପାଣ୍ଡିଆନ ତାଳଚେର ଗସ୍ତରେ ଯାଇଥିବା ବେଳେ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିବା ପାଇଁ ଜନସାଧାରଣ ଅନୁରୋଧ କରିଥିଲେ । ତଦନୁଯାୟୀ, ରାଜ୍ୟ ସରକାର ଏହି ସେତୁର ନାମକୁ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିଛନ୍ତି ।  ୫୧୧ ମିଟର ଦୈର୍ଘ୍ୟ ବିଶିଷ୍ଟ, ସିଲିଙ୍ଗ ଠାରୁ ତାଳପଦା ରାସ୍ତାକୁ ଯୋଡୁଥିବା ଏହି ସେତୁ, ୪୫ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି । ଏଠାରେ ସୁଚନା ଯୋଗ୍ଯ ଯେ , ପବିତ୍ର ମୋହନ ପ୍ରଧାନ ଓଡ଼ିଶାର ପ୍ରଜାମଣ୍ଡଳ ଓ ଗଡ଼ଜାତ ଆନ୍ଦୋଳନର ନେତା ଏବଂ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ବହୁବାର ଓଡ଼ିଶା ବିଧାନ ସଭା ଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପବିତ୍ର ମୋହନ ପ୍ରଧାନ ୧୯୦୮ ମସିହାର ଫେବୃଆରୀ ମାସ ୮ ତାରିଖରେ ତାଳଚେର ଅନ୍ତର୍ଗତ ପୋଇପାଳଠାରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ପୂର୍ବରୁ ପବିତ୍ର ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏଥିପାଇଁ ତାଙ୍କୁ ରାଜଦ୍ରୋହ ଅଭିଯୋଗ ଓ କାରାବରଣ କରିବାକୁ ପଡିଥିଲା । ସ୍ୱାଧିନତା ପରେ ସେ ଗଡ଼ଜାତ ଆନ୍ଦୋଳନରେ ଯୋଗଦେଇଥିଲେ । ଗଡ଼ଜାତ ମିଶ୍ରଣ ପରେ ସେ ସକ୍ରୀୟ ରାଜନୀତିରେ ଯୋଗଦେଇଥିଲେ । ୧୯୪୬ ମସିହାରେ ସେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ଓ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ସ୍ୱାଧୀନତା ପରର ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଭିନ୍ନ ସମୟରେ ଭାରତୀୟ ଜାତୀୟ କଂଗ୍ରେସ, ଜନ କଂଗ୍ରେସ ଓ ଭାରତୀୟ ଲୋକ ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored