ଡିସେମ୍ବରରେ ମଧ୍ଯ ସରିଲା ନାହିଁ ଜାତୀୟ ରାଜପଥ କାମ

 

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ସମ୍ପ୍ରସାରଣ କାମ ଆଜି ଯାଏଁ ଶେଷ ହୋଇ ନାହିଁ । ଡିସେମ୍ବର ଶେଷ ସୁଦ୍ଧା ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ଶେଷ ହେବ ବୋଲି ଜାତୀୟ ଦଳର ନେତା ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ରାସ୍ତାର ଅଗ୍ରଗତି ନେଇ ବାରମ୍ବାର ସମୀକ୍ଷା ବି ହୋଇଥିଲା । ହେଲେ ଡିସେମ୍ବର ମାସ ପୂରିବାକୁ ଯାଉ ଥିବା ବେଳେ ଜାତୀୟ ଅଧାପନ୍ତରିଆ ହୋଇ ପଡ଼ିଛି । ଆହୁରି ୬ ମାସ ଭିତରେ କାମ ସରିବ କି ନାହିଁ ତାକୁ ନେଇ ସନ୍ଦେହ । ଏହି କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ୨୦୧୮ରେ ଆରମ୍ଭ ହୋଇଥିଲା । ସେତେବେଳେ ଏହି ରାସ୍ତା ୨୦୨୦ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବିଭିନ୍ନ କାରଣ ପାଇଁ ଏହା ବିଳମ୍ବିତ ହୋଇଛି । ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ହାତୀ କରିଡର୍ ପର୍ଯ୍ୟନ୍ତ ଏକାଧିକ କାରଣ ପାଇଁ ଠିକ୍ ସମୟରେ କାମ ଆଗେଇ ପାରି ନଥିଲା । ପରେ କୋଭିଡ୍ ପ୍ରକଳ୍ପ କାର୍ଯ୍ୟରେ ବାଧା ଉପୁଯାଇଥିଲା । ସେପଟେ ଏହି କାମ କରୁଥିବା ଠିକା ସଂସ୍ଥା ଦେବାଳିଆ ହୋଇଯିବା ପରେ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଅନେକ ଦିନ ପରେ କାମ କରିବାକୁ ଏକ ନୂଆ ଠିକା ସଂସ୍ଥାକୁ ଦାୟିତ୍ଵ ପାଇଁ ଏହି ଡିସେମ୍ବର ଡେଡ୍‌ଲାଇନ୍ କାମ ଯେଉଁ ଅବସ୍ଥାରେ ରହିଛି ତାହା ଏତେ ଶୀଘ୍ର ସରିବା ପରି ଲାଗୁନି । ସୂଚନା ଅନୁସାରେ, ଅନୁଗୁଳ-ସମ୍ବଲପୁର ୧୫୩ କିମି ରାସ୍ତା କାମ ପ୍ରାୟ ଶେଷ ଅବସ୍ଥାରେ ପହଞ୍ଚିଛି । ସମୁଦାୟ କାମ ଭିତରୁ ୯୦ ପ୍ରତିଶତ କାମ ସରିଥିଲେ ମଧ୍ୟ ଏକାଧିକ ଓଭରବ୍ରିଜ କାମ ଅଧପନ୍ତରିଆ ରହିଛି । ବଇଣ୍ଡା, ବାମୁର ପାଖରେ ଥିବା ଓଭରବ୍ରିଜ୍ କେବେ ସରିବ ସେ ନେଇ କେହି ମୁହଁ ଖୋଲୁନାହାନ୍ତି । ସେହିପରି ରାସ୍ତାର କିଛି ଅଂଶ ଅତି କଦର୍ଯ୍ୟ ହୋଇ ପଡ଼ିଛି । କଟକର ମଙ୍ଗୁଳିଠାରୁ ଅନୁଗୁଳ ପର୍ଯ୍ୟନ୍ତ ହୋଇଥିବା ରାସ୍ତା କାମ ତ ବିଲ୍‌କୁଲ ଆଗେଇ ପାରିନି । କାମ ମନ୍ଥର ଗତିରେ ଚାଲୁଥିବାବେଳେ କାମ ଶେଷ ହୋଇପାରୁନି । ଏହି ୧୧୨ କିମି ରାସ୍ତା ଶେଷ ହେବାକୁ ଅତି କମ୍‌ରେ ଆଉ ୬ ମାସ ଲାଗିପାରେ । ଏପଟେ ଅନୁଗୁଳ ସହର ପାଇଁ ହେବାକୁ ଥିବା ବାଇପାସ୍ ରାସ୍ତା କାମ ସରିବାକୁ ଆଉ ୩ ମାସ ସମୟ ମାଗିଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଗତ ସଡ଼କ ସୁରକ୍ଷା କମିଟି ବୈଠକରେ ମାର୍ଚ୍ଚ ଶେଷ ସୁଦ୍ଧା କାମ ସରିବ ବୋଲି କର୍ତ୍ତୃପକ୍ଷ କହିଥିଲେ । ହେଲେ ଏହି ରାସ୍ତାରେ ଏକାଧିକ ପ୍ରମୁଖ ପୋଲ ନିର୍ମାଣ ହୋଇନି । ଲିଙ୍ଗରା ନଦୀରେ ହେଉଥିବା ପୋଲ ଅଧାପନ୍ତରିଆ ହୋଇଥିଲାବେଳେ ଶରଧାପୁର, ଛେଳିଆପଡ଼ାରେ ଓଭରବ୍ରିଜ୍ ନିର୍ମାଣ ସରିନାହିଁ । ତେଣୁ ଅନୁଗୁଳବାସୀଙ୍କ ରାସ୍ତା ଦୁଃଖ ଏତେ ଶୀଘ୍ର ଗଲା ପରି ଲାଗୁନି । ଗୋଟିଏ ପଟରେ ନିର୍ମାଣ ଶେଷ ହେଉ ନଥିଲାବେଳେ ଅନ୍ୟ ପଟରେ ଏହି ରାସ୍ତାରେ ନିୟମିତ ଦୁର୍ଘଟଣା ହେଉଛି । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଲୋକଙ୍କ ଜୀବନ ବାଜିରେ ଲଗାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦିନ ଗଡ଼ାଇ ଚାଲିଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।

 

What’s your Reaction?
+1
0
+1
0
+1
0
+1
0
+1
4
+1
1
+1
3

Share:

Share on facebook
Share on twitter
Share on whatsapp
Share on telegram

Sponsored