ଅନୁଗୁଳ – ଅନୁଗୁଳ ପୁଲିସକୁ ପୁଣି ଏକ ସଫଳତା ମିଳିଛି । ସାଇବର ଅପରାଧରେ ସମ୍ପୃକ୍ତ ଦୁଇ ଜଣ ଅପରାଧୀଙ୍କୁ ରାଜସ୍ଥାନରୁ ଗିରଫ କରିଛି ।
ସୂଚନା ଅନୁସାରେ ଚଳିତ ବର୍ଷ ଅନୁଗୁଳ ଏଫ.ସି.ଆଇ. ବିକ୍ରମପୁର ଥାନା ଅଞ୍ଚଳର ଜଣେ ମହିଳା ବିଉଟି ପାର୍ଲର ଖୋଲିଥିଲେ । ସେ ଅଭିଯୋଗ କରିଥିଲେ ଯେ , ଅନଲାଇନ ମାଧ୍ୟମରେ କିଛି ଲୋକ ତାଙ୍କୁ ଦାମୀ ପ୍ରସାଧାନ ସାମଗ୍ରୀର ଡିଷ୍ଟ୍ରିବ୍ୟୁଟର ଦେବା ପାଇଁ ଅଫର ଦେଇଥିଲେ । ମହିଳା ଜଣଙ୍କ ମଧ୍ୟ ତାଙ୍କ କଥାରେ ବିଶ୍ୱାସ କରି ଅନଲାଇନରେ ପ୍ରାୟ ୨ ଲକ୍ଷ ୪୯ ହଜାର ଟଙ୍କା ଡିପୋଜିଟ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଆହୁରି ଅଧିକ ଟଙ୍କା ମାଗିବାରୁ ତାଙ୍କର ସନ୍ଦେହ ହୋଇଥିଲା ଏବଂ ଏ ନେଇ ସେ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ରାଜସ୍ଥାନରୁ ଦୁଇ ଜଣ ଠକଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ଭନ୍ସ କୁମାର ଏବଂ ଗୌରବ କୁମାର । ଉଭୟଙ୍କୁ ଅନୁଗୁଳ ପୁଲିସ ରାଜସ୍ଥାନରୁ ଗିରଫ କରି ଆଣିବା ପରେ ଆଜି ଅନୁଗୁଳରେ କୋର୍ଟ ଚାଲାଣ କରିଥିବା ଅନୁଗୁଳ ଏସ ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ ନିକଟରୁ ଗୋଟିଏ ଲାପଟପ , ଦୁଇଟି ମୋବାଇଲ ଫୋନ , ୨୦ ହଜାର ଟଙ୍କା ଓ ୪ ଟି ସିମ କାର୍ଡ଼ , ଗୋଟିଏ ଏ ଟି ଏମ୍ କାର୍ଡ଼ ଗୋଟିଏ ଜବତ କରିଛି ।
ଅନୁଗୁଳ ଏସ.ପି. ରାହୁଲ ଜୈନ ଏହି ଅପରାଧୀ ମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ଯେଉଁ ଟିମର ନେତୃତ୍ୱ ବିକ୍ରମପୁର ଥାନା ଆଇ.ଆଇ.ସି. ଲଳିତା ପ୍ରଧାନ ନେଇଥିବା ବେଳେ ଏସ.ଆଇ. ସ୍ମୃତି ରଞ୍ଜନ ନାୟକ , କନେଷ୍ଟବଳ ସୌମ୍ୟ ରଞ୍ଜନ ମାଝୀ ଓ ରୋହିତ ମାଝୀ ସହଯୋଗ କରିଥିଲେ ।

