ବିପୁଳ ପରିମାଣର ବାଣ ଜବତ – ଜଣେ ଅଟକ

ଅନୁଗୋଳ – ବିନା ଅନୁମତିରେ ବାଣ ଗଚ୍ଛିତ ରଖିବା ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗରେ ଅନୁଗୋଳ ସଦର ଥାନା ପୁଲିସ ଛେଳିଆପଡ଼ା ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ବିଭିନ୍ନ ପ୍ରକାର ବାଣ ଜବତ କରିଛି। ଏହି ଘଟଣାରେ ତ୍ରିନାଥ ପ୍ରଧାନ (୫୬)ଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଅନୁଗୋଳ ଏସ ପି ରାହୁଲ ଜୈନଙ୍କ ନିର୍ଦ୍ଦେଶ ପରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ତତ୍ୱାବଧାନରେ ଏକ ଟିମ୍ ଛେଳିଆପଡ଼ା ଗ୍ରାମରେ ତ୍ରିନାଥ ପ୍ରଧାନଙ୍କ ଘରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଘରେ ବିଭିନ୍ନ ବ୍ରାଣ୍ଡର ବାଣ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବିନା ଗଚ୍ଛିତ ରଖାଯାଇଥିବା ପୁଲିସ ଦେଖିବାକୁ ପାଇଥିଲା । ବାଣ ଗଚ୍ଛିତ ରଖିବା ପାଇଁ ବୈଧ ଲାଇସେନ୍ସ କିମ୍ବା କର୍ତ୍ତୃପକ୍ଷଙ୍କ ଅନୁମତି ସମ୍ପର୍କରେ ପଚରାଯିବାରୁ ସେ କୌଣସି ଅନୁମତିପତ୍ର ଦେଖାଇପାରିନଥିବା ପୁଲିସ ପକ୍ଷରୁ କୁହାଯାଇଛି ।

ଫଳରେ ବେଆଇନ ବାଣ ସବୁ ଜବତ କରିବା ସହ ତ୍ରିନାଥଙ୍କୁ ପୁଲିସ ଅଟକ ରଖିଛି । ଜବତ ବାଣ ମଧ୍ୟରେ ସୁତୁଲି ବୋମା, ଅଶୋକା ଫୁଲଝରି, ଟର୍କି ବିଜିଲି, ଲକ୍ଷ୍ମୀ ପେପର ବୋମା, ବ୍ଲୁ ଷ୍ଟାର କୋଟି ବୋମା, ଗଙ୍ଗା-ଯମୁନା ବୋମା ଓ ଶ୍ରୀ ନୀଳା ସ୍ପାର୍କଲ୍ସ ସମେତ ବିଭିନ୍ନ ପ୍ରକାରର ବାଣ ରହିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page