ଚିକେନ୍ ତରକାରୀରେ ବିଷ, ପରେ କୁରାଢ଼ିରେ ଆକ୍ରମଣ – ପରକ୍ରିୟା ପାଇଁ ସ୍ୱାମୀକୁ ହତ୍ୟା

ଅନୁଗୋଳ – ଦଶହରାର ଉତ୍ସବମୁଖର ରାତିରେ ଘଟିଥିଲା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଚିକେନ୍ ତରକାରୀରେ ମୂଷା ମାରିବା ବିଷ ମିଶାଇବା, ଅଚେତ ହେବା ପରେ ଗଳା ଚିପିବା ଏବଂ କୁରାଢ଼ିରେ ମୁଣ୍ଡକୁ ଆଘାତ କରି ହତ୍ୟା—ଏଭଳି ସାଂଘାତିକ ଷଡ଼ଯନ୍ତ୍ରର ଖୁଲାସା କରିଛି ବାଗଡ଼ିଆ ପୁଲିସ।

ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ କଣଲୋଇ ଗାଁର ଦିଲ୍ଲୀପ ସେଠୀ ହତ୍ୟା ମାମଲାରେ ମୃତକଙ୍କ ସ୍ତ୍ରୀ ସୌଦାମିନୀ ସେଠୀ ଏବଂ ତାଙ୍କ କଥିତ ସହଯୋଗୀ ଖଗେଶ୍ୱର ସାହୁଙ୍କୁ ଗିରଫ କରିଛି ପୁଲିସ। ଘଟଣାର ୪୮ ଘଣ୍ଟା ମଧ୍ୟରେ ତଦନ୍ତରେ ସଫଳତା ମିଳିଥିବା ପୁଲିସ କହିଛି।

ପୁଲିସ ସୂଚନା ଅନୁଯାୟୀ, ନୂଆଗାଁ ବଡ଼ସାହିର ଖଗେଶ୍ୱରଙ୍କ ସହ ସୌଦାମିନୀଙ୍କ ପ୍ରେମ ସମ୍ପର୍କ ଥିବା ଏବଂ ଏହାକୁ ଦିଲ୍ଲୀପ ବିରୋଧ କରୁଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହାକୁ ନେଇ ଦିଲ୍ଲୀପଙ୍କୁ ରାସ୍ତାରୁ ହଟାଇବା ପାଇଁ ଉଭୟେ ଯୋଜନା କରିଥିଲେ ।

ଦଶହରା ରାତିରେ ଗାଁରେ ଅପେରା ଚାଲିଥିବା ସମୟରେ ଦିଲ୍ଲୀପଙ୍କ ଖାଦ୍ୟରେ ବିଷ ମିଶାଯାଇଥିଲା। ସେ ଅଚେତ ହେବା ପରେ ତାଙ୍କ ଗଳା କପଡ଼ାରେ ଚିପାଯିବା ସହ କୁରାଢ଼ିରେ ମୁଣ୍ଡକୁ ଆଘାତ କରାଯାଇଥିବା ପୁଲିସ କହିଛି। ଏହାପରେ ଉଭୟେ ଅପେରା ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ୨ଟା ୪୦ରେ ଘରକୁ ଫେରି ଅଜଣା ଦୁର୍ବୃତ୍ତ ହତ୍ୟା କରିଥିବା ଭଳି ପରିସ୍ଥିତି ସୃଷ୍ଟି କରିଥିଲେ ।

ମୃତକଙ୍କ ମା’ ସୌରୀ ସେଠୀଙ୍କ ଅଭିଯୋଗ ପରେ ବାଗଡ଼ିଆ ପୁଲିସ ଅନୁଗୋଳ ସାଇଣ୍ଟିଫିକ୍ ଟିମ୍‌ର ସହାୟତାରେ ତଦନ୍ତ କରିଥିଲା। ଘଟଣାସ୍ଥଳରୁ କୁରାଢ଼ି, ରକ୍ତଲଗା ପୋଷାକ ଓ ଗଳା ଚିପିବାରେ ବ୍ୟବହୃତ କପଡ଼ା ଜବତ କରାଯାଇଥିବା ଜଣାପଡ଼ିଛି।ଏହା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page