ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ, ୩ ଗୁରୁତର

ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ମରାତିରା ଛକ ନିକଟରେ ଶୁକ୍ରବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ିର ଧକ୍କାରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ ବରଗଡ଼ ପୌରାଞ୍ଚଳର ୧୩ ନମ୍ବର ୱାର୍ଡର ନମିତା ସାହୁ।

ସୂଚନା ଅନୁଯାୟୀ, ବରଗଡ଼ ଅଞ୍ଚଳର ପ୍ରେମରାଜ ସାହୁ ନିଜ ପରିବାର ସହ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଭୁବନେଶ୍ୱର ଯାଉଥିଲେ। ଶୁକ୍ରବାର ଭୋର ପ୍ରାୟ ୫ଟା ସମୟରେ ସେମାନଙ୍କ କାର୍‌ ମରାତିରା ଛକ ନିକଟରେ ପହଞ୍ଚିଥିବା ବେଳେ ଏକ ଅଜଣା ଗାଡ଼ି ସହ ଧକ୍କା ହୋଇଥିଲା।

ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଡାକ୍ତରଖାନାରେ ପ୍ରେମରାଜଙ୍କ ପତ୍ନୀ ନମିତା ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ପ୍ରେମରାଜ, କାର୍‌ ଚାଳକ ଓ ଜଣେ କେୟାରଟେକର ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ଖବର ପାଇ ଜରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରିବା ସହ ଡାକ୍ତରଖାନାରେ ମୃତଦେହ ଜବତ କରିଥିଲା। ଏନେଇ ଜରପଡ଼ା ଥାନାରେ କେସ୍‌ ନମ୍ବର ୫୨୮/୨୬ ରୁଜୁ ହୋଇଛି। ଦୁର୍ଘଟଣାର କାରଣ ଏବଂ ଅଜଣା ଗାଡ଼ିର ପରିଚୟ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page