ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସହ ଖେଳ

ଅନୁଗୋଳ – ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ । ଯେଉଁ ଚାଉଳରୁ ରନ୍ଧା ଖାଦ୍ୟ ଖାଇବା କଥା କୋମଳମତି ଛାତ୍ରଛାତ୍ରୀଙ୍କ, ସେହି ଚାଉଳର ଗୁଣବତ୍ତାକୁ ନେଇ ଏବେ ଉଠିଛି ଗୁରୁତର ପ୍ରଶ୍ନ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ଅନ୍ତର୍ଗତ ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଉଦ୍‌ବେଗ ପ୍ରକାଶ ପାଇଛି।

ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ବିଦ୍ୟାଳୟକୁ ଯୋଗାଣ ହୋଇଥିବା ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ଦେଖାଯାଇଛି। ଏହାକୁ ନେଇ ସେମାନେ ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇଥିଲେ। ପରେ ଘଟଣାର ସମାଧାନ ଆଶାରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ଜଣାଇଥିଲେ। ହେଲେ ସେଠାରେ ଅଧିକାରୀ ଅନୁପସ୍ଥିତ ଥିବାରୁ ଜଣେ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇବାକୁ ପଡ଼ିଥିଲା।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଏତେ ପରିମାଣର ପୋକରା ଚାଉଳକୁ ନେଇ କ’ଣ କରାଯିବ ବୋଲି ଅଭିଭାବକ ପ୍ରଶ୍ନ କରିବାରୁ, ଚାଉଳକୁ ଧୋଇ ସଫା କରି ବ୍ୟବହାର କରିବାକୁ କାର୍ଯ୍ୟାଳୟର ଜଣେ ବଡ଼ବାବୁ ପରାମର୍ଶ ଦେଇଥିବା ଅଭିଯୋଗ ହୋଇଛି। ଏହି ଉତ୍ତର ଅଭିଭାବକଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇଛି। ପୋକରା ଚାଉଳକୁ ଧୋଇଦେଲେ ତାହା ଛାତ୍ରଛାତ୍ରୀଙ୍କ ଖାଦ୍ୟ ପାଇଁ ସୁରକ୍ଷିତ ? ଏହାର ଦାୟିତ୍ୱ କିଏ ନେବ? ଏଭଳି ପ୍ରଶ୍ନ ଏବେ ଅଭିଭାବକ ମହଲରେ ଉଠିଛି।

ଅନ୍ୟପକ୍ଷରେ, ଏହି ଅଭିଯୋଗ ଉପରେ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଅନୁପସ୍ଥିତ ଥିବାରୁ ଫୋନ୍‌ ଯୋଗେ ଯୋଗାଯୋଗ ଉଦ୍ୟମ ମଧ୍ୟ ସଫଳ ହୋଇନାହିଁ।

ଛାତ୍ରଛାତ୍ରୀଙ୍କ ପୋଷଣ ଓ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟାହ୍ନ ଭୋଜନ ଯୋଜନା ରହିଛି। କିନ୍ତୁ ଯଦି ଏହି ଯୋଜନାରେ ଯୋଗାଣ ହେଉଥିବା ଖାଦ୍ୟଶସ୍ୟର ଗୁଣବତ୍ତା ଉପରେ ହିଁ ପ୍ରଶ୍ନ ଉଠେ, ତେବେ ଯୋଜନାର ଉଦ୍ଦେଶ୍ୟ କେତେଦୂର ସାର୍ଥକ ହେଉଛି? ଏହି ଘଟଣାରେ ଚାଉଳର ନମୁନା ପରୀକ୍ଷା, ଯୋଗାଣ ବ୍ୟବସ୍ଥାର ଯାଞ୍ଚ ଏବଂ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଭୂମିକାର ନିରପେକ୍ଷ ତଦନ୍ତ ଜରୁରୀ। ଅଭିଭାବକଙ୍କ ଦାବି, ଘଟଣାକୁ ଚାପି ନଦେଇ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ଏବଂ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରୁ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page