୧୬ ବର୍ଷ ପୁରୁଣା ବଧୂମୃତ୍ୟୁ ମାମଲାରେ ବଡ଼ ରାୟ, ୫ ଜଣ ଦୋଷମୁକ୍ତ

ତାଳଚେର – ଦୀର୍ଘ ୧୬ ବର୍ଷ ଧରି ଚାଲିଥିବା ଏକ ବଧୂମୃତ୍ୟୁ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ତାଳଚେର ଅତିରିକ୍ତ ଦୌରାଜଜ୍‌ । ୨୦୧୦ ମସିହାରେ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଥିବା ପାଞ୍ଚ ଜଣଙ୍କୁ ଅପିଲ୍‌ର ଶୁଣାଣି ପରେ ଦୋଷମୁକ୍ତ କରାଯାଇଛି। ଅଦାଲତ ପୂର୍ବ ଦୋଷସିଦ୍ଧି ଓ ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୦୯ ମସିହାରେ ତାଳଚେର ଆଇଟିଆଇ ଛକ ଅଞ୍ଚଳର ନିରାକାର ସାମଲଙ୍କ ପୁଅ ପ୍ରୀତିରଞ୍ଜନଙ୍କ ସହ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଦେଉଳସାହିର ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ବିବାହ ହୋଇଥିଲା। ବିବାହର ପରବର୍ତ୍ତୀ ବର୍ଷ, ଅର୍ଥାତ୍ ୨୦୧୦ ମାର୍ଚ୍ଚରେ ବିଜୟଲକ୍ଷ୍ମୀ ଗର୍ଭବତୀ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ହତ୍ୟା ବୋଲି ଅଭିଯୋଗ କରି ତାଙ୍କ ବାପଘର ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।

ଏହି ମାମଲାରେ ସ୍ୱାମୀ ପ୍ରୀତିରଞ୍ଜନ, ଶ୍ୱଶୁର ନିରାକାର ସାମଲ, ଶାଶୂ ବିଳାସିନୀ, ଦେଢ଼ଶୁର ଦେବରଞ୍ଜନ ଓ ଯାଆ ଜୀବନଜ୍ୟୋତ୍ସ୍ନାଙ୍କୁ ଅଭିଯୁକ୍ତ କରାଯାଇଥିଲା। ମାମଲାର ବିଚାର କରି ଏସ୍‌ଡିଜେଏମ୍‌ ସୁଶାନ୍ତ କୁମାର ନାୟକ ପାଞ୍ଚ ଜଣଙ୍କୁ ଦୁଇ ବର୍ଷ ଛଅ ମାସ ଲେଖାଏଁ କାରାଦଣ୍ଡ ସହ ୭ ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଥିଲେ।

ଏହି ରାୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ପକ୍ଷରୁ ଆପରାଧିକ ଅପିଲ୍‌ ନମ୍ବର ୦୪/୨୦୨୫ ଦାଖଲ କରାଯାଇଥିଲା। ଅପିଲ୍‌ର ଶୁଣାଣି କରି ଅତିରିକ୍ତ ଦୌରାଜଜ୍‌ ସତ୍ୟନାରାୟଣ କର ୧୬ ଅକ୍ଟୋବର ୨୦୨୬ରେ ରାୟ ପ୍ରକାଶ କରିଥିଲେ।

ସାକ୍ଷ୍ୟ ଓ ମାମଲାର ତଥ୍ୟରେ ଥିବା ଅସଙ୍ଗତି ଯୋଗୁଁ ଅଭିଯୋଗ ପକ୍ଷର ମାମଲା ଉପରେ ସନ୍ଦେହ ସୃଷ୍ଟି ହୋଇଥିବା ଅଦାଲତ ଉଲ୍ଲେଖ କରିଥିଲେ।

ଏହି ଆଧାରରେ ଅଦାଲତ ପୂର୍ବ ରାୟକୁ ରଦ୍ଦ କରି ପାଞ୍ଚ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page