ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ ପାଲଲହଡା ଠାରୁ ପିତିରି ଛକ ପର୍ଯ୍ୟନ୍ତ ସମ୍ପୂର୍ଣ ନଷ୍ଟ ହୋଇ ଗଲାଣି । ଯାହା ଫଳରେ ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ବହୁ ଅସୁବିଧା ଭୋଗୁଛନ୍ତି । ଏହାକୁ ମରାମତି ଏବଂ ପାଲଲହଡା ଚତୁର୍ପାଶ୍ୱରେ ୩୦ କିମି ମଧ୍ୟରେ ୩ ଟି ଟୋଲ ଗେଟ ରହିଛି । ଏଗୁଡିକରେ ଜାତୀୟ ରାଜପଥ ପ୍ରାଧିକାରଣ କତୃପକ୍ଷ ବେଆଇନ ଭାବେ ଟୋଲ ଆଦାୟ କରୁଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେବା ସହ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ।
ଏହାକୁ ବିରୋଧ କରି, ଏବଂ ଖମାର ଠାରେ ଥିବା ଟୋଲ ଗେଟ ରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସମ୍ପୂର୍ଣ ଟୋଲ ଉଛେଦ କରିବା ଦାବିରେ ଆଜି ବିଜେଡି ପକ୍ଷରୁ ବିରୋଧ କରାଯାଇଛି । ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସମ୍ପାଦକ ମୁକେଶ କୁମାର ପାଲଙ୍କ ନେତୃତ୍ୱରେ ଖମାର ଡାକବଙ୍ଗଳା ଠାରୁ ଶହଶହ ବିଜୁ ଜନତା ଦଳ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଟୋଲ ଗେଟ ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ ପହଞ୍ଚିବା ପରେ ଅନିର୍ଦିଷ୍ଠ କାଳ ପାଇଁ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଟୋଲ ଗେଟ ସମ୍ପୂର୍ଣ ଅଚଳ, ହୋଇଯାଇଥିବା ବେଳେ,ପାର୍ଶ୍ୱ ରାସ୍ତା ଦେଇ ଗାଡି ମୋଟର ଚଳାଚଳ କରିଥିଲା । ଅପ୍ରୀତିକର ପରିସ୍ଥିତି ଘଟିବାର ଆଶଙ୍କାରେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ପରେ ସ୍ଥାନୀୟ ପ୍ରଶାସନ ସେଠାରେ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ ।ହେଲେ ମଧ୍ୟ ଆନ୍ଦୋଳକାରୀ ମାନେ ନିଜ ଜିଦରେ ଅଟଳ ରହି ଦାବି ପୂରଣ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି । ବିଲମ୍ବିତ ରାତି ଯାଏ ଆନ୍ଦୋଳନ ଚାଲିଥିବା ସୂଚନା ରହିଛି ।

