ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର

ଅନୁଗୋଳ – ବିଶ୍ୱକର୍ମା ପୂଜାର ଖୁସି ମଧ୍ୟରେ ଅନୁଗୋଳ ଜିଲ୍ଲାରେ ଘଟିଛି ଦୁଇଟି ଦୁଃଖଦ ସଡ଼କ ଦୁର୍ଘଟଣା। ବଅଁରପାଳ ଥାନା ଅଞ୍ଚଳରେ ହାଇୱା ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ସହ ଅନ୍ୟ ଜଣେ ଗୁରୁତର ହୋଇଥିବା ବେଳେ ଚାଇଁପାଳରେ ଟ୍ରକ୍‌ ଧକ୍କାରେ ଆଉ ଜଣେ ଦୋକାନୀଙ୍କ ଜୀବନ ଯାଇଛି। ଦୁଇଟି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।

ବଅଁରପାଳ ଥାନା ଅଧୀନ ୫୫ ନମ୍ବର ଜାତୀୟ ରାଜପଥର ନୂଆହତା ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରଥମ ଦୁର୍ଘଟଣା ଘଟିଥିଲା। କେନ୍ଦୁଝର ଜିଲ୍ଲା ଦୁରୁଆଗୁଡ଼ା ଗାଁର ସୁମିତ୍ରା ମହନ୍ତ ଓ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଇରା ଦୁଆରି ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ୍‌ ନର୍ସ ଭାବେ କାମ କରୁଥିଲେ। ଉଭୟ ଡ୍ୟୁଟି ସାରି ବିଶ୍ୱକର୍ମା ପୂଜା ଦେଖିବାକୁ ବାହାରିଥିଲେ। ତେବେ ନୂଆହତା ପେଟ୍ରୋଲ ପମ୍ପ ନିକଟରେ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ହାଇୱା ଉଭୟଙ୍କୁ ଧକ୍କା ଦେଇଥିଲା। ପରେ ହାଇୱାଟି ଜଣେ ବାଇକ୍‌ ଚାଳକଙ୍କୁ ମଧ୍ୟ ଧକ୍କା ଦେଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବଅଁରପାଳ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ସୁମିତ୍ରାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଇରାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବାଇକ୍‌ ଚାଳକ ଜଣକ ସାମାନ୍ୟ ଆହତ ହୋଇଛନ୍ତି।

ଘଟଣା ପରେ ବଅଁରପାଳ ପୁଲିସ ହାଇୱା ଚାଳକଙ୍କୁ କାବୁ କରିବା ସହ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସେହିପରି ଚାଇଁପାଳରେ ଘଟିଛି ଆଉ ଏକ ଦୁର୍ଘଟଣା। ଚାଇଁପାଳ ଗାଁର ବିଭୂତି ବାରିକ ଛକରେ ଏକ ଦୋକାନ କରିଥିଲେ। ରାତି ପ୍ରାୟ ୯ଟାରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ବିଭୂତିଙ୍କୁ ମୃତ ଘୋଷଣା କରିଥିଲେ।

ବିଶ୍ୱକର୍ମା ପୂଜାର ଉତ୍ସବ ମଧ୍ୟରେ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଓ ଜଣେ ଗୁରୁତର ହେବା ଘଟଣା ଅନୁଗୋଳରେ ଦୁଃଖର ମାହୋଲ ସୃଷ୍ଟି କରିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page