୧୬୦ ଦିନ ପରେ ଜାମିନରେ ମୁକୁଳିଲେ କୋଶଳାର ୫ ଆନ୍ଦୋଳନକାରୀ

ଅନୁଗୋଳ – ଗାଁ ମଧ୍ୟଦେଇ କୋଇଲା ଟ୍ରକ୍‌ ପରିବହନକୁ ବିରୋଧ କରି ଆନ୍ଦୋଳନ କରିବା ଘଟଣାରେ ଗିରଫ ହୋଇ ଦୀର୍ଘ ୧୬୦ ଦିନ ଧରି ଜେଲ୍‌ରେ ଥିବା କୋଶଳା ଗ୍ରାମର ୫ଜଣ ଆନ୍ଦୋଳନକାରୀ ଶେଷରେ ଜାମିନରେ ମୁକୁଳିଛନ୍ତି। ଜେଲ୍‌ରୁ ବାହାରିବା ପରେ ସେମାନଙ୍କୁ ଗ୍ରାମବାସୀଙ୍କ ସହ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ସ୍ୱାଗତ କରିଛନ୍ତି।

ମୁକୁଳିଥିବା ଆନ୍ଦୋଳନକାରୀମାନେ ହେଲେ କୋଶଳା ଗ୍ରାମର ସିଦ୍ଧାର୍ଥ ଶଙ୍କର ସାହୁ, ଚିତ୍ତରଞ୍ଜନ ସାହୁ, କମାର ପ୍ରଧାନ, ସୁନୀଲ ବେହେରା ଓ ଗଗନ ବେହେରା।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୫ ତାରିଖରୁ କୋଶଳା ଗ୍ରାମବାସୀ ଗାଁ ମଧ୍ୟଦେଇ କୋଇଲା ଟ୍ରକ୍‌ ପରିବହନକୁ ବିରୋଧ କରି ଅହରାତ୍ର ଧାରଣା ଦେଇଥିଲେ। ମାର୍ଚ୍ଚ ୧୦ ତାରିଖ ରାତିରେ ଆନ୍ଦୋଳନକାରୀମାନେ କୋଇଲା ଟ୍ରକ୍‌ଗୁଡ଼ିକୁ ଫେରାଇ ଦେଇଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ଛେଣ୍ଡିପଦା ଟ୍ରକ୍‌ ମାଲିକ ସଂଘର ସଭାପତି ମହେଶ୍ୱର ବେହେରା ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗରେ କୋଶଳା ଗ୍ରାମର ୬ଜଣ ଯୁବକଙ୍କ ସମେତ ୫୦ରୁ ଅଧିକ ମହିଳା ଓ ଶତାଧିକ ପୁରୁଷ ୧୩ଟି ଟ୍ରକ୍‌କୁ ଅଟକାଇ ୧୦ ହଜାର ଟଙ୍କା ଚାନ୍ଦା ମାଗିବା, ମାରଣାସ୍ତ୍ର ଦେଖାଇବା ଓ ଧମକ ଦେବା ଭଳି ଅଭିଯୋଗ ରହିଥିଲା।

ଏହି ଅଭିଯୋଗ ଆଧାରରେ ଛେଣ୍ଡିପଦା ଥାନା ପୁଲିସ କେସ୍‌ ନମ୍ବର ୧୬୧/୨୦୨୬ରେ ମାମଲା ରୁଜୁ କରି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଅଭିଯୁକ୍ତମାନେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଦୀର୍ଘ ୧୬୦ ଦିନ ଜେଲ୍‌ରେ ରହିବା ପରେ ଆଜି ସେମାନେ ଜାମିନରେ ମୁକୁଳିଛନ୍ତି।

ଏହି ଅବସରରେ ଅନୁଗୋଳ ଜେଲ୍‌ ସମ୍ମୁଖରେ କୋଶଳା ଗ୍ରାମବାସୀଙ୍କ ସହ ବିଜେପି, ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ପହଞ୍ଚି ମୁକୁଳିଥିବା ଆନ୍ଦୋଳନକାରୀ ମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page