୧ କୁଇଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ, ବ୍ୟବସାୟୀ ଗିରଫ

ଅନୁଗୋଳ – ଅନୁଗୋଳ ଜିଲ୍ଲା ପୋଲିସର ଅପରେସନ୍ ‘ପ୍ରହାର’ରେ ବଡ଼ ସଫଳତା ମିଳିଛି। ଜରପଡ଼ା ଥାନା ପୋଲିସ ଓ ସ୍ପେସିଆଲ ସ୍କ୍ୱାଡ୍‌ର ମିଳିତ ଚଢ଼ାଉରେ ୧ କୁଇଣ୍ଟାଲ ୧୬ କେଜି ଗଞ୍ଜେଇ ସହ ୧ ଲକ୍ଷ ୬୬ ହଜାର ୮୦୦ ଟଙ୍କା ଜବତ ହୋଇଛି। ଏହି ଘଟଣାରେ ଜରପଡ଼ା ଗ୍ରାମର ବ୍ୟବସାୟୀ ଅରବିନ୍ଦ ସାହୁଙ୍କୁ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ଅନୁସାରେ, ଜରପଡ଼ା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଲାଣ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାକୁ ଆଧାର କରି ଜରପଡ଼ା ଥାନା ଅଧିକାରୀ ମନୋଜ ପ୍ରଧାନ ଓ ଅନୁଗୋଳ ସ୍ପେସିଆଲ ସ୍କ୍ୱାଡ୍‌ର ଟିମ୍‌ ରେଳ ଷ୍ଟେସନ ନିକଟସ୍ଥ ସାଗର ଫାର୍ମହାଉସ୍‌ରେ ଚଢ଼ାଉ କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇଥିବା ଚଢ଼ାଉ ବେଳେ ଏକ କାରରୁ ୨ ବସ୍ତା ଏବଂ ଫାର୍ମହାଉସ୍‌ରୁ ଆଉ ୩ ବସ୍ତା ଗଞ୍ଜେଇ ଜବତ ହୋଇଥିଲା।

ମୋଟ ୫ ବସ୍ତାରୁ ୧୧୬ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ କାରରୁ ୧,୬୬,୮୦୦ ଟଙ୍କା ଜବତ କରାଯାଇଛି।

ଏହି ଗଞ୍ଜେଇ କେଉଁଠାରୁ ଅଣାଯାଇଥିଲା ଏବଂ କେଉଁଠାକୁ ଚାଲାଣ ହେବାର ଥିଲା, ସେନେଇ ପୋଲିସ ତଦନ୍ତ ଚଳାଇଛି। ଏହି ବେଆଇନ କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହାର ମଧ୍ୟ ଖୋଳତାଡ଼ ଜାରି ରହିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page