ଚୋରି ହୋଇଥିବା ୭୦ ଗ୍ରାମ ସୁନା ଜବତ – ତିନି ଗିରଫ

ଅନୁଗୁଳ – ଅନୁଗୁଳ ସହରର ଗୁଜୁରାତିପଡ଼ାରୁ ଜଣେ  ବ୍ୟକ୍ତିଙ୍କ ଘରୁ ଗତ ମାର୍ଚ୍ଚ ମାସରେ ସୁନା ଅଳଙ୍କାର ଚୋରି ହୋଇଥିଲା । ଜଣେ ମହିଳା ପ୍ରାତଃଭ୍ରମଣରେ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଘରେ କଳାକନା ବୁଲାଇ ଦେଇଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ସୁନା ଚୋରି ଅଭିଯୋଗରେ ପୁଲିସ ଆଜି ଆଠମଲ୍ଲିକ ଅଞ୍ଚଳର ଦମ୍ପତିଙ୍କ ସହିତ ସମ୍ବଲପୁରର ଜଣେ ମହିଳାଙ୍କୁ ଗିରଫ କରିଛି ।

ସୂଚନା ଯେ, ଟାଉନ୍ ଥାନା ଗୁଜୁରାତିପଡ଼ାରେ ଅର୍ଚ୍ଚନା ନାୟକଙ୍କ ପରିବାର ରହୁଛନ୍ତି । ସେ ପ୍ରତିଦିନ ଭୋର୍‌ରୁ ପ୍ରାତଃଭ୍ରମଣ ପାଇଁ ବାହାରକୁ ଯାଇଥାନ୍ତି। ଅର୍ଚ୍ଚନା ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଭୋର୍‌ରୁ ଘରୁ ବାହାରକୁ ଯାଇଥିବା ବେଳେ ତାଙ୍କ ଘରୁ ସୁନା ଅଳଙ୍କାର ଚୋରି ହୋଇଯାଇଥିଲା। ଘର ଆଲମାରି ତାଲା ଭଙ୍ଗାଯାଇଥିବା ସେ ସକାଳ ସାଢ଼େ ୮ଟା ବେଳକୁ ଦେଖିବାକୁ ପାଇଥିଲେ । ଆଲମାରି ଖୋଲି ଦେଖିବା ବେଳକୁ ସେଥିରେ ଥିବା ୨ଟି ସୁନା ହାର, ୩ଟି ଚୁଡ଼ି, ୫ଟି ମୁଦି, ଗୋଟିଏ ସୁନା ଚେନ୍ ଓ କାନଫୁଲ ନଥିଲା । ଘରେ କେହି ଦୁର୍ବୃତ୍ତ ପଶି ସୁନା ଚୋରି କରିନେଇଥିବା ଜଣାପଡ଼ିବା ପରେ ସେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କେସ୍ ନମ୍ବର ୨୩୭/୨୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ବ କରିଥିଲା। ତେବେ ୨ ମାସ ପରେ ଚୋରି ମାମଲାରେ ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ  ଗୁଜୁରାତିପଡ଼ାରେ ଭଡ଼ାରେ ରହୁଥିବା ଆଠମଲ୍ଲିକ ଥାନା ତାଳବିଜିପୁର ଗାଁର ବିକାଶ ବେହେରା(୩୨), ତାଙ୍କ ସ୍ତ୍ରୀ ଲିଜାରାଣୀ ପ୍ରଧାନ(୩୨) ଓ ସମ୍ବଲପୁର ଆମ୍ବେଦକରନଗର ମୁଦିପଡ଼ାର ସରିତା ସିଂହ(୩୦) କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ୭୦ ଗ୍ରାମ ଓଜନର ସୁନା ସହ ତିନି ଗୋଟି ମୋବାଇଲ ଫୋନ ଜବତ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page