ନକଲି ସାର୍ଟିଫିକେଟ ଦେଇ ମେଡିକାଲ କଲେଜରେ ଚାକିରୀ – ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦେଶ

ଅନୁଗୋଳ – ଫେକ ସାର୍ଟିଫିକେଟ ଦେଇ ଚାକିରୀ । ତା ପୁଣି ମେଡିକାଲ କଲେଜରେ । କେବଳ ଯେ ଚାକିରୀ କରୁଛନ୍ତି ତା ନୁହେଁ ମେଡିକାଲ କଲେଜରେ ଆସି ଚିକିତ୍ସା ମଧ୍ୟ କରୁଛନ୍ତି । ଜଣେ କି ଦୁଇଜଣ ନୁହେଁ ପ୍ରାୟ ୨୪ ଜଣ ଏଭଳି ନକଲି ସାର୍ଟିଫିକେଟ ହାତେଇ ଚାକିରୀ କରିଥିଵା ଜଣା ପଡିବା ପରେ ଜିଲ୍ଲାରେ ଏବେ ଚହଳ ପଡିଛି ।

ଅନୁଗୋଳ ଜିଲ୍ଲାରେ ଗତ ବର୍ଷ ଠାରୁ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସପିଟାଲରେ ନାମ ଲେଖା ଆରମ୍ଭ ହୋଇଛି । ଏହି ମେଡିକାଲ କଲେଜ ଆରମ୍ଭରେ ଅନେକ ଡାକ୍ତର ଓ ନର୍ସଙ୍କୁ ନିଯୁକ୍ତି ଦିଆଯାଇଥିଲା । ତେବେ ଏଠାରେ ନିଯୁକ୍ତ ନର୍ସ ମାନଙ୍କ ମଧ୍ୟରୁ ୨୪ ଜଣ ଏବେ ନକଲି ବୋଲି ସ୍ପଷ୍ଟ ହୋଇଛି । ସେମାନେ ସେବା ନର୍ସିଂ ଅଫ ସ୍କୁଲରୁ ପାସ କରିଥିବା ନେଇ ସାର୍ଟିଫିକେଟ ଦେଇ ଚାକିରୀ କରିଥିଲେ । ତେବେ ଏହି ସ୍କୁଲରେ ସେମାନେ ପାଠ ପଢି ନଥିବା ସ୍ପଷ୍ଟ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲର ଅଧ୍ୟକ୍ଷ ସୁନିଲ କୁମାର ଦାସଙ୍କ କହିବା କଥା , ତାଙ୍କୁ ୯୦ ଜଣ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଭେରୀଫିକେସନ ପାଇଁ ମେଲ ଆସିଥିଲା । ଆଉ ମେଲ ଅନୁଯାୟୀ ସାର୍ଟିଫିକେଟ ଜାଞ୍ଚ ବେଳେ ୨୪ ଜଣ ଛାତ୍ରଛାତ୍ରୀ ଏହି ସ୍କୁଲ ହତା ମାଡି ନଥିବା ସେ କହିଛନ୍ତି । ଏ କଥା ଜଣା ପଡିବା ପରେ ଚହଳ ପଡି ଯାଇଛି । ଏତେ ସଂଖ୍ୟାରେ ନକଲି ସାର୍ଟିଫିକେଟ କେଉଁଠୁ ଆସିଲା ଆଉ କିଏ ଏଭଳି କରିଛି ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି । ମେଡିକାଲ କଲେଜରେ ଷ୍ଟାଫ ନର୍ସ ନିଯୁକ୍ତିରେ ଏଭଳି ଏକ ବଡ଼ କେଳେଙ୍କାରୀ ହୋଇଥିବା କଲେଜ ଅଧ୍ୟକ୍ଷ ସ୍ପଷ୍ଟ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ କଥାକୁ ସ୍ୱୀକାର କରିଛନ୍ତି । ଏହି ନକଲି ଷ୍ଟାଫ ନର୍ସ ମାନେ କେବଳ ଯେ ମେଡିକାଲ କଲେଜରେ ନିଯୁକ୍ତି ପାଇଛନ୍ତି ତା ନୁହେଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ମେଡିକାଲ କଲେଜରେ ଆସି ଚିକିତ୍ସା ମଧ୍ୟ କରୁଛନ୍ତି । ଏହାକୁ ନେଇ ବୁଦ୍ଧିଜୀବୀ ନିନ୍ଦା କରିବା ସହ ଯିଏ ଏହି କେଲେଙ୍କାରୀ ପଛରେ ଅଛି ତାକୁ ଖୋଜି ବାହାରି କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କିଭଳି ଏତେ ସଂଖ୍ୟାରେ ନକଲି ସାର୍ଟିଫିକେଟ ଦେଇ ଚାକିରୀ କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ପଛରେ ଏକ ବଡ଼ ରାକେଟ ଥିବା ସନ୍ଦେହ କରାଯାଉଛି ।

ଅନୁଗୋଳ ଜିଲ୍ଲା ପବିତ୍ର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନକଲି ସାଟିର୍ଫିକେଟ ଦେଇ ଚାକିରି କରିବା ଘଟଣା ବିଭିନ୍ନ ଗଣ ମାଧ୍ୟମରେ ପ୍ରସାର ପରେ ଜିଲ୍ଲାପାଳ ଅବଦାଲ ମହମଦ ଅଖତର ତଦନ୍ତ ନିର୍ଦ୍ଦେଶ।ଳ ଦେଇଛନ୍ତି । MCL ର CMD ଙ୍କୁ ଚିଠି ଲେଖି ତୁରନ୍ତ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେବା ସହ , ତଦନ୍ତ ପରେ ରାକେଟରେ ସମ୍ପୃକ୍ତି ଥିବା ଏଜେନ୍ସି କିମ୍ବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page