ଛେଣ୍ଡିପଦା –
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ଚାରିଛକଠାରେ ଜିଏମ୍ଡିସିର ପ୍ରସ୍ତାବିତ ବୈତରଣୀ-ୱେଷ୍ଟ କୋଇଲା ଖଣି ଖନନକୁ ନେଇ ଉତ୍ତେଜନା ଦେଖାଦେଇଛି। କମ୍ପାନୀ ପକ୍ଷରୁ ଖଣି ଅଞ୍ଚଳରେ ଖନନ ମେସିନ୍ ଓ ଲୋଡର ରଖାଯିବାକୁ ବିରୋଧ କରି ଶତାଧିକ ଗ୍ରାମବାସୀ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବୈତରଣୀ-ୱେଷ୍ଟ କୋଲ୍ ବ୍ଲକ ଅଧୀନରେ ଛେଣ୍ଡିପଦା ଜଙ୍ଗଲ, ହାଣ୍ଡିଗୋଡ଼ା, ମାଛକୁଟା, ମାଛକୁଟା ଜଙ୍ଗଲ, ପୋଡ଼ାପଡ଼ା, ପୋଡ଼ାପଡ଼ା ଜଙ୍ଗଲ ଓ ତେଣ୍ଟୁଲୋଇ-କୋଡ଼ାସାହି ଆଦି ଅଞ୍ଚଳ ରହିଛି। ଏଠାରେ ୧୧୯୬ ହେକ୍ଟର ଜମିରେ ଖୋଲାମୁହଁ କୋଇଲା ଖଣି ପାଇଁ ଜିଏମ୍ଡିସିକୁ ସରକାରଙ୍କ ପକ୍ଷରୁ ଜମି ଆବଣ୍ଟନ କରାଯାଇଛି।
ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଖଣି ପାଇଁ ଜମି ଅଧିଗ୍ରହଣରେ ପ୍ରଭାବିତ ଅନେକ ପରିବାର ଏଯାଏ ସମ୍ପୂର୍ଣ୍ଣ କ୍ଷତିପୂରଣ ପାଇନାହାନ୍ତି। ଏଥିସହ ବିସ୍ଥାପନ ଓ ଥଇଥାନ ସମ୍ପର୍କରେ ମଧ୍ୟ ଆବଶ୍ୟକ ଆଲୋଚନା ହୋଇନାହିଁ। ଏଭଳି ସ୍ଥିତିରେ କମ୍ପାନୀ ପକ୍ଷରୁ ଆବଣ୍ଟିତ ଅଞ୍ଚଳରେ ଲୋଡର ଓ କୋଇଲା ଖନନ ମେସିନ୍ ଆଣି ରଖାଯାଇଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହାକୁ ବିରୋଧ କରି ପାଞ୍ଚଟି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାଛକୁଟା ଚାରିଛକରେ ଏକତ୍ରିତ ହୋଇ ରାଲିରେ ମେସିନ୍ ରଖାଯାଇଥିବା ସ୍ଥାନକୁ ଯାଇ ବିକ୍ଷୋଭ କରିଥିଲେ। କ୍ଷତିପୂରଣ, ବିସ୍ଥାପନ ଓ ଥଇଥାନ ନେଇ ଆଲୋଚନା ନହେବା ପର୍ଯ୍ୟନ୍ତ ଜମିରୁ ମେସିନ୍ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଖବର ପାଇ ଛେଣ୍ଡିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି। ଘଟଣାସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।

