ଅନୁଗୋଳ – ଦୁର୍ବଳ ରାସ୍ତା ଉପରେ ଭାରୀଯାନ ଚଳାଚଳ ଯୋଗୁଁ ସମସ୍ୟା ବଢ଼ୁଥିବାରୁ ଛେଣ୍ଡିପଦା-ଜରପଡ଼ା ଓଡିଆର୍ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଇଛି ଅନୁଗୋଳ ଆରଟିଏ। ଏନେଇ ଅନୁଗୋଳ ଜିଲ୍ଲାପାଳ ତଥା ଆରଟିଏ ଅଧ୍ୟକ୍ଷ ଆଦେଶ ଜାରି କରିଛନ୍ତି।

ନୂଆ ନିର୍ଦ୍ଦେଶ ଅନୁଯାୟୀ, ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ରାସ୍ତାରେ କୌଣସି ଲୋଡେଡ୍ କିମ୍ବା ଖାଲି ଭାରୀଯାନ ଚଳାଚଳ କରିପାରିବ ନାହିଁ। ତେବେ ରାତି ୧୦ଟାରୁ ସକାଳ ୫ଟା ମଧ୍ୟରେ ଭାରୀଯାନ ଚଳାଚଳକୁ ଅନୁମତି ଦିଆଯାଇଛି। ଅନ୍ୟ ସମସ୍ତ ଯାନବାହନ ପୂର୍ବଭଳି ଚଳାଚଳ କରିପାରିବେ।
ଆରଟିଏର ଆଦେଶରେ କୁହାଯାଇଛି ଯେ, ଛେଣ୍ଡିପଦା-ଜରପଡ଼ା ରାସ୍ତାରେ ନିୟମିତ ଭାବେ ଭାରୀଯାନ ଚଳାଚଳ କରୁଛି। ରାସ୍ତାର କ୍ଷମତା ଭାରୀଯାନର ଚାପ ସହିବା ଭଳି ନଥିବାରୁ ଏହାର ଅବସ୍ଥା ଦିନକୁ ଦିନ ଖରାପ ହେଉଛି। ଏଥିସହ ରାସ୍ତାରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖାଦେଉଛି। ଏନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଆସୁଥିଲା।
ଏହି ପରିପ୍ରେକ୍ଷୀରେ ମୋଟର ଯାନ ଆଇନ, ୧୯୮୮ର ସମ୍ପୃକ୍ତ ଧାରା ଅନୁଯାୟୀ ଏହି କଟକଣା ଲାଗୁ କରାଯାଇଛି। ୮ ସେପ୍ଟେମ୍ବରରୁ ତୁରନ୍ତ ଲାଗୁ ହୋଇଥିବା ଏହି ଆଦେଶ ୩୦ ଦିନ ପାଇଁ ବଳବତ୍ତର ରହିବ।
ନିୟମ ଯେପରି କଡ଼ାକଡ଼ି ଭାବେ ପାଳନ ହୁଏ, ସେଥିପାଇଁ ଅନୁଗୋଳ ଏସ୍ପିଙ୍କୁ ଆବଶ୍ୟକ ପୋଲିସ କର୍ମଚାରୀ ମୁତୟନ କରିବାକୁ ମଧ୍ୟ ଆରଟିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

