୮ ହଜାର ଟଙ୍କା ଲେଖାଏଁ ଜରିମାନା
ଅନୁଗୋଳ – ସୂଚନା ଅଧିକାର ଆଇନ (RTI Act) ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ନଦେବା ଏବଂ ଦାୟିତ୍ୱରେ ଅବହେଳା ଅଭିଯୋଗରେ ତାଳଚେର-ଅନୁଗୋଳ-ମେରାମୁଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (TAMDA)ର ୩ ଜଣ ଅଧିକାରୀଙ୍କୁ ଜରିମାନା କରିଛନ୍ତି ଓଡ଼ିଶା ସୂଚନା ଆୟୋଗ। ପ୍ରତ୍ୟେକ ଅଧିକାରୀଙ୍କୁ ୮ ହଜାର ଟଙ୍କା ଲେଖାଏଁ, ମୋଟ ୨୪ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ହୋଇଛି।

ସୂଚନା ଅନୁସାରେ, ତୁରଙ୍ଗସ୍ଥିତ ଶୀତଳନଗର ସମ୍ପର୍କିତ ଲେଆଉଟ୍ ପ୍ଲାନ୍, ନୋଟ୍ସିଟ୍, ଅର୍ଡର ସିଟ୍ ଓ ଅନ୍ୟାନ୍ୟ ରେକର୍ଡ ହାସଲ ପାଇଁ ସୁଶାନ୍ତ କୁମାର ନନ୍ଦ ୨୦୨୪ ଫେବୃଆରୀ ୧୩ ତାରିଖରେ TAMDAର ଜନସୂଚନା ଅଧିକାରୀ (PIO)ଙ୍କ ନିକଟରେ ଆର୍ଟିଆଇ ଆବେଦନ କରିଥିଲେ। ଏଥିସହ ୨୦୨୩ ନଭେମ୍ବର ୧୩ ତାରିଖର ଅଭିଯୋଗ ପିଟିସନ୍ ସମ୍ପର୍କିତ ତଦନ୍ତ ରିପୋର୍ଟ, ଆକ୍ସନ ଟେକେନ୍ ରିପୋର୍ଟ ଓ ନୋଟିସ୍ ମଧ୍ୟ ମଗାଯାଇଥିଲା।
ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ନମିଳିବାରୁ ଆବେଦନକାରୀ ପ୍ରଥମ ଅପିଲ କରିଥିଲେ। କିଛି ଦସ୍ତାବିଜ ଦିଆଯାଇଥିଲେ ମଧ୍ୟ ଶୀତଳନଗର ଅନୁମୋଦନ ସମ୍ପର୍କିତ ନୋଟ୍ସିଟ୍ ଓ ଅର୍ଡର ସିଟ୍ ଦିଆଯାଇନଥିବା ଅଭିଯୋଗ ହୋଇଥିଲା।
ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପ୍ରତିନିଧି ଭୂପେଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, ପୁରୁଣା ଫାଇଲ ଓ ରେଜିଷ୍ଟର ମିଳୁନଥିବା ଦର୍ଶାଇ TAMDA ପକ୍ଷରୁ ଅଧିକ ସମୟ ମଗାଯାଇଥିଲା।ତେବେ ପ୍ରାୟ ଅଢ଼େଇ ବର୍ଷ ଧରି ଆବେଦନକାରୀଙ୍କୁ ସମ୍ପୂର୍ଣ୍ଣ ସୂଚନା ନମିଳିବା ଘଟଣାକୁ ସୂଚନା ଆୟୋଗ ଗୁରୁତ୍ୱର ସହ ନେଇଛନ୍ତି। ଏହାପରେ ପୂର୍ବତନ ପ୍ଲାନିଂ ଆସିଷ୍ଟାଣ୍ଟ କମ୍-ପିଆଇଓ ନିଳିମା ମହାପାତ୍ର, ପୂର୍ବତନ ଡ୍ରାଫ୍ଟସମ୍ୟାନ୍ କମ୍-ରେଫର୍ଡ ପିଆଇଓ ରମେଶ ଚନ୍ଦ୍ର ସାହୁ ଏବଂ ପିଆଇଓ ମନୋଜ କୁମାର ସିଂହଙ୍କୁ ଆର୍ଟିଆଇ ଆଇନ ଅନୁଯାୟୀ ପ୍ରତ୍ୟେକଙ୍କୁ ଦୋଷୀ ସାଵସ୍ତ୍ୟ କରିବା ସହ ୮ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି।
ଆଦେଶ ପ୍ରାପ୍ତିର ଏକ ମାସ ମଧ୍ୟରେ ଟ୍ରେଜେରିରେ ଜରିମାନା ରାଶି ଜମା କରିବାକୁ ନିର୍ଦ୍ଦେଶ ରହିଛି। ନିର୍ଦ୍ଧାରିତ ସମୟରେ ରାଶି ଜମା ନହେଲେ ସମ୍ପୃକ୍ତ ଅଧିକାରୀଙ୍କ ଦରମା କିମ୍ବା ପେନ୍ସନରୁ ଦୁଇଟି ସମାନ କିସ୍ତିରେ ଜରିମାନା ରାଶି ଆଦାୟ କରାଯିବ ବୋଲି ଆଦେଶରେ ଉଲ୍ଲେଖ ରହିଛି।

