ତାଳଚେର ରାଜନୀତିରେ ହଟଚମଟ – ୧୩ କାଉନସିଲରଙ୍କ ସହ ଦଳରୁ ଇସ୍ତଫା ଦେଲେ ପୌରାଧ୍ୟକ୍ଷ

ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକା ରାଜନୀତିରେ ହଟଚମଟ ଦେଖା ଦେଇଛି । ଗତ କିଛିଦିନ ହେଲା ତାଳଚେର ପୌରାଧ୍ୟକ୍ଷ ଦଳରୁ ଇସ୍ତଫା ଦେବେ ବୋଲି ଶୁଣା ଯାଉଥିଲା । ହେଲେ ବୁଧବାର ହଠାତ ପୌରାଧ୍ୟକ୍ଷ ସମେତ ୧୩ ଜଣ କାଉନସିଲର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ଆଉ ଇସ୍ତଫା ଦେଇଥିବା ଏହି ରାଜନେତା ମାନେ ଆସନ୍ତାକାଲି ବିଜେପିରେ ଯୋଗ ଦେବେ ବୋଲି ଶୁଣା ଯାଉଛି ।

ସୂଚନା ଅନୁସାରେ ଗତ ପୌର ନିର୍ବାଚନରେ ତାଳଚେରରେ ୧୭ ଜଣ କାଉନସିଲର ବିଜେଡି ଦଳର ଜିତାପଟ ମାରିଥିବା ବେଳେ ପବିତ୍ର ଭୁତିଆ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସାଧାରଣ ମିର୍ବାଚନରେ ମଧ୍ୟ ରାଜ୍ୟରେ ବିଜେଡି ହାତରୁ ଶାସନ ଭାର ପଳାଇଥିବା ସତ୍ୱେ ତାଳଚେରରେ ବ୍ରଜ କିଶୋର ପ୍ରଧାନ ବହୁ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ଏଥିପାଇଁ ତାଳଚେରକୁ ବିଜେଡିର ଗଡ଼ କୁହା ଯାଉଥିଲା । ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ମଧ୍ୟ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ମିଳିଥିଲା । ହେଲେ ହଠାତ ବୁଧବାର ବିଜେଡିର ଏହି ଗଡ଼ ଭୁଶୁଡି ପଡିବା ଭଳି ସ୍ଥିତି ଦେଖା ଦେଇଛି । ତାଳଚେର ନଗରପାଳ ପବିତ୍ର ଭୂତିଆଙ୍କ ସମେତ ୧୩ ଜଣ କାଉନ୍‌ସିଲର ଯଥା ତାଳଚେର ପୌରପରିଷଦର ୧ ନମ୍ବର ୱାର୍ଡର କାଉନ୍‌ସିଲର ଆସିଫ ଖାନ, ୨ ନମ୍ବର ୱାର୍ଡର କାଉନ୍‌ସିଲର ଯଶୋବନ୍ତ ମିଶ୍ର, ୩ ନମ୍ବର ୱାର୍ଡର କାଉନ୍‌ସିଲର ଲିପିକା ବେହେରା, ୫ ନମ୍ବର ୱାର୍ଡର କାଉନ୍‌ସିଲର ସଞ୍ଜିବ କୁମାର ବେହେରା, ୬ ନମ୍ବର ୱାର୍ଡର କାଉନ୍‌ସିଲର ଜିତେନ୍ଦ୍ର ଭୂତିଆ, ୯ ନମ୍ବର ୱାର୍ଡର କାଉନ୍‌ସିଲର ମମତା ରାଉତ, ୧୦ ନମ୍ବର ୱାର୍ଡର କାଉନ୍‌ସିଲର ଅଜିତ କୁମାର ସାହୁ, ୧୧ ନମ୍ବର ୱାର୍ଡର କାଉନ୍‌ସିଲର ନିରୂପମା ପଟ୍ଟପନାୟକ, ୧୨ ନମ୍ବର ୱାର୍ଡର କାଉନ୍‌ସିଲର ସଞ୍ଜିବ କୁମାର ଗଡ଼ନାୟକ, ୧୪ ନମ୍ବର ୱାର୍ଡର କାଉନ୍‌ସିଲର ବଲବିନ୍ଦର କୁଅଁର, ୧୫ ନମ୍ବର ୱାର୍ଡର କାଉନ୍‌ସିଲର ସବିତା ପାଇଲ, ୧୮ ନମ୍ବର ୱାର୍ଡର କାଉନ୍‌ସିଲର ଲିନା ସାହୁ, ୨୦ ନମ୍ବର ୱାର୍ଡର କାଉନ୍‌ସିଲର ଶାନ୍ତନୁ କୁମାର ମିଶ୍ର ପ୍ରମୁଖ ଆଜି ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ବ୍ରଜକିଶୋର ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ମେଲ ଜରିଆରେ ନିଜ ନିଜର ଇସ୍ଥଫା ପତ୍ର ପ୍ରଦାନ କରିଥିବା ଜଣା ପଡ଼ିଛି ।

ବିଜେପିରେ ମିଶିବେ !!!

ବୁଧବାର ପୌରାଧ୍ୟକ୍ଷ ପବିତ୍ର ଭୁତିଆ ଓ ୧୩ ଜଣ କାଉନସିଲର ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ଏହି ସବୁ ରାଜନେତା ନିଜ ନିଜ କର୍ମୀଙ୍କୁ ନେଇ ଶୁକ୍ରବାର ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ କେଉଁଠି ଆଉ କାହା ଉପସ୍ଥିତିରେ ଏହି ସବୁ ନେତା ବିଜେପିରେ ସାମିଲ ହେବେ ସ୍ପଷ୍ଟ ସୂଚନା ମିଳି ନାହିଁ । ଯାହା ଜଣାପଡୁଛି ତାଳଚେରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ହିଁ ଏହି ମିଶ୍ରଣ ପର୍ବ ହେବ ।

ହୋଇଛି ବଡ଼ ଡିଲ !!!

ଆଜି ପୌରାଧ୍ୟକ୍ଷ ପବିତ୍ର ଭୁତିଆଙ୍କ ସହ ୧୩ ଜଣ କାଉନସିଲର ଦଳରୁ ଇସ୍ତଫା ଦେବା ପରେ ତାଳଚେର ତଥା ଅନୁଗୁଳ ଜିଲ୍ଲାରେ ନାନାଦି ଆଲୋଚନା ହେଉଛି । ପ୍ରଥମେ ଦଳରୁ ଇସ୍ତଫା ଦେବାକୁ ପୌରାଧ୍ୟକ୍ଷ କୁଆଡେ ନିଷ୍ପତ୍ତି ନେଇଥିଲେ । ଆଉ ଏଥିପାଇଁ ବିଜେପି ଦଳ ସହ ଭିତିରିଆ କଥାବାର୍ତ୍ତା ହୋଇଥିଲେ । ତେବେ ସାଙ୍ଗରେ କିଛି କାଉନସିଲର ନେବାପାଇଁ କୁହା ଯିବା ପରେ ପବିତ୍ର ଭୁତିଆ କୁଆଡେ ନିଜର କଳ ବଳ ଲଗାଇ ସମସ୍ତ ବିଜେଡି କାଉନସିଲରଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ । ଦଳ ନ ଛାଡିଲେ ଆଗକୁ ନିଜ ୱାର୍ଡରେ କାମ ମିଳିବ ନାହିଁ ବୋଲି ଚେତାବନୀ ମଧ୍ୟ କୁଆଡେ ଦିଆ ଯାଇଥିଲା । ତେବେ ପରେ କିଛି କାଉନସିଲର ମାନଙ୍କୁ ୫-୧୦ ଲକ୍ଷ ଟଙ୍କାର ପ୍ରଲୋଭନ ମଧ୍ୟ ଦିଆ ଯାଇଛି ବୋଲି ଶୁଣିବାକୁ ମିଳୁଛି । ଦଳରୁ ଇସ୍ତଫା ଦେଇଥିବା ପ୍ରାୟ ସବୁ କାଉନସିଲର କିନ୍ତୁ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫାପତ୍ର ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page