ଜ୍ବାଇଁର ଛୁରା ମାଡରେ ପୂର୍ବତନ ସରପଞ୍ଚ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡା ଗାଁରେ ଅଘଟଣ । ଜ୍ୱାଇଁ ର ଛୁରା ମାଡରେ ଦାଦା ଶ୍ୱଶୁର ମୃତ । ମୃତକ ଜଣଙ୍କ ହେଲେ ଫୁଲପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରେନ୍ ଦାସ ।

ସୂଚନା ଅନୁସାରେ, ଫୁଲପଡା ଗାଁର ସ୍ଵର୍ଗତ ଭାସ୍କର ଦାସଙ୍କ ଝିଅ ମାନିନୀ ଦାସ ଠାକୁରଗଡ ଥାନା ବନମାଳୀପୁର ଗାଁ ପ୍ରବୀର ବେହେରାଙ୍କୁ ପ୍ରାୟ ୭ ବର୍ଷ ତଳେ ବିବାହ କରିଥିଲେ । ଗତ ଦୁଇ ବର୍ଷ ହେଲା ପ୍ରବୀର ମଦ୍ୟପାନ କରି ମାନିନୀଙ୍କ ସହ ପ୍ରତ୍ୟେକ ଦିନ ଝଗଡ଼ା କରନ୍ତି । ଯାହା ପାଇଁ ସବୁ ଦିନ ଘରେ ଅଶାନ୍ତି ଲାଗି ରହୁଥିଲା । ଆଜି ଫୁଲପଡା ଗ୍ରାମରେ ଏକ ଭୋଜି ଥିବାରୁ ମାନିନୀ ଏବଂ ପ୍ରବୀର ଭୋଜି ଖାଇବା ପାଇଁ ଫୁଲପଡାକୁ ଆସିଥିଲେ । ମାନିନୀଙ୍କ ପରିବାର ମଧ୍ୟ ସେଠାକୁ ଭୋଜି ଖାଇ ଆସିଥିଲେ। ସେଠାରେ ପ୍ରବୀର ମଦ୍ୟପାନ କରିଥିବାରୁ ମାନିନୀଙ୍କ ସହ ଝଗଡା ହୋଇଥିଲା । ମାନିନୀଙ୍କ ଦାଦା ବୀରେନ୍ ଏହା ଦେଖି ପ୍ରବୀରଙ୍କୁ ଡାକି କରି କାହିଁକି ସବୁ ଦିନ ଝଗଡ଼ା ଲାଗି ରହୁଛି ବୋଲି ପଚାରିବା ସହ ଉଭୟ ମିଶି କରି ରହିବାକୁ କହିଥିଲେ । ସେହି ସମୟରେ ପ୍ରବୀର ଉତକ୍ଷିପ୍ତ ହୋଇ ପାଖରେ ରଖି ଥିବା ଏକ ଛୁରୀ ବାହାର କରି ବୀରେନ୍ ଙ୍କ ଛାତି ଏବଂ ପେଟକୁ ମାରିଥିଲେ । ଯାହା ଫଳରେ ବୀରେନ୍ ଗୁରୁତର ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକ ସଙ୍ଗେ ସଙ୍ଗେ ବୀରେନ୍ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ବୀରେନ୍ ଙ୍କର ମୃତ୍ୟୁ ହୋଇଥିଲା । ସେପଟେ ପ୍ରବୀର ଛୁରୀ ମାରିବା ପରେ ଫେରାର ହୋଇ ଯାଉଥିବା ବେଳେ  ପରିବାର ଲୋକ ତାକୁ ଧରି ମହୀଧରପୁର ଫାଣ୍ଡି ପୁଲିସର ଜିମା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page