ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ସିଆରିମାଳିଆ ଗ୍ରାମରେ ବିଭତ୍ସ ହତ୍ୟା । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ହତ୍ୟା ପରେ ସମ୍ପର୍କୀୟ ଶଳାକୁ ଫୋନ ରେ ସୂଚନା ଦେଇ ଫେରାର ହୋଇଯାଇଥିବା ଜଣା ପଡିଛି ।
ସୂଚନା ଅନୁସାରେ ସିଆରିମାଳିଆ ଗ୍ରାମର ସୁଦର୍ଶନ ହେମ୍ବ୍ରମ ପାଳଲହଡା ଥାନା ହାତୀମୁଣ୍ଡ ଗ୍ରାମର ମଞ୍ଜୁ ହେମ୍ବ୍ରମ କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ସ୍ୱାମୀ ସୁଦର୍ଶନ ସ୍ତ୍ରୀକୁ ପରକୀୟା ପ୍ରୀତି ସନ୍ଦେହରେ ମାରପିଟ କରୁଥିଲେ । ଏ ନେଇ ପରିବାରରେ ଅଶାନ୍ତି ଲାଗି ରହିଥିଲା । ତେବେ ଗତକାଲି ସ୍ତ୍ରୀ ମଞ୍ଜୁ ହାଟକୁ ଆସିଥିବା ବେଳେ ଜଣେ ସମ୍ପର୍କୀୟ ଯୁବକଙ୍କ ସହ କଥା ହେଉଥିଲେ । ଏହାକୁ ସ୍ୱାମୀ ସୁଦର୍ଶନ ଦେଖିଥିଲେ । ଏଇ କଥାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସ୍ୱାମୀ ସୁଦର୍ଶନ ସ୍ତ୍ରୀକୁ ମାରପିଟ କରିବା ସହ ଏକ ନିଆଁ କାଠରେ ଦେହର ବିଭିନ୍ନ ଅଙ୍ଗକୁ ଚେଙ୍କ ଦେଇଥିଲା । ଏଭଳି ନିର୍ଯାତନା ଦେଇ ଶେଷରେ ସ୍ତ୍ରୀକୁ ହତ୍ୟା କରିଥିଲା । ଆଜି ସକାଳୁ ଶଳାକୁ ଫୋନ ଯୋଗେ ସବୁ ଘଟଣା କହିବା ପରେ ସେଠାରୁ ଫେରାର ହୋଇଯାଇଥିଲା । ମଞ୍ଜୁଙ୍କ ଭାଇ ଏ ନେଇ ଖମାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଖମାର ପୁଲିସ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

