ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ ହୋଇଛି । ଏହି ଘଟଣାରେ ପୁଲିସ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ କମ୍ପସଲା ପଞ୍ଚାୟତ ପୁରୁଣାସାହିର ମାନଗୋବିନ୍ଦ ସାହୁ, ଅଜୁ ସାହୁ ଓ ପୁଷ୍ପା ପ୍ରଧାନ ।

ସୂଚନା ଅନୁସାରେ , ତାଳଚେର ଲଘୁ ଖଣିଜ ବିଭାଗ ଓ ଛେଣ୍ଡିପଦା ପୁଲିସ ପକ୍ଷରୁ ଛେଣ୍ଡିପଦା ଥାନା ଅଞ୍ଚଳରେ ହେଉଥିବା ବେଆଇନ ବାଲି ଚାଲାଣ ଉପରେ ମଙ୍ଗଳବାର ରାତି ୪ ଟା ବେଳେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଛେଣ୍ଡିପଦାରୁ କୁକୁରପେଟା ପ୍ରୋଜେକ୍ଟ ଆଡକୁ ଯାଉଥିବା ଗୋଟିଏ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ରାସ୍ତାରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ଟ୍ରାକ୍ଟରଟିକୁ ଜବତ କରି ଥାନାକୁ ଆଣିବା ପରେ ସେଠାରୁ ଛେଣ୍ଡିପଦା ଥାନା ସୀମାନ୍ତ ଟିକିରା ନଦୀରୁ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ । ଏହି ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଆସୁଥିବା ଦେଖି ଅନ୍ଧାରିକଟା ନିକଟରେ ଅଟକାଇ ଯାଞ୍ଚ କରିଥିଲେ । କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ବେଆଇନ ବାଲି ବୋଝଇ ଟ୍ରାକ୍ଟରକୁ ଥାନାକୁ ଆଣୁଥିବା ବେଳେ ପୁରୁଣାପାଣି ନିକଟରେ ବାଲି ମାଫିଆ ମାନେ ଖଣି ବିଭାଗ ଓ ପୁଲିସକୁ ଅଟକାଇ ଥିଲେ । ବାଲି ମାଫିଆ ମାନେ ପୁଲିସକୁ ମାଡ଼ ମାରି ଜବତ ଟ୍ରାକ୍ଟରକୁ ନେଇ ଫେରାର ହୋଇ ଯାଇଥିଲେ । ଏନେଇ ଖଣି ବିଭାଗ ପକ୍ଷରୁ ଘଟଣା ସମ୍ପର୍କରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଖଣି ବିଭାଗର ଅଭିଯୋଗକୁ ଆଧାର କରୀ ପୋଲିସ ଛେଣ୍ଡିପଦା ଥାନା କେସ ନଂ -୬୧୨/୨୫ରେ ଏକ ମାମଲା ରୁଜୁ କାରୀ ତଦନ୍ତ ଚଳାଇଥିବା ବେଳେ ବାଲି ମାଫିଆ ମାନେ ନେଇ ଯାଇଥିବା ଟ୍ରାକ୍ଟରକୁ ଜବତ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ପ୍ରକାଶ କରିଛନ୍ତି ।

