ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ, ପୁଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଛେଣ୍ଡିପଦା ବ୍ଲକ ବକଳା ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରି ଦିଆ ଯାଇଛି ।

ସୂଚନା ଅନୁସାରେ ଅନୁଗୁଳ ଅବକାରୀ ବିଭାଗ, ଜରପଡା ପୁଲିସ ଓ ବନବିଭାଗ ପକ୍ଷରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜରପଡା ଥାନା ବକଳା ଅଞ୍ଚଳରେ ଚଢ଼ାଉ କରିଥିଲେ । ୨ ଏକରରୁ ଉର୍ଦ୍ଧ ସରକାରୀ ଜଙ୍ଗଲ ଜମିରେ ବେଆଇନ ଭାବେ ଲଗା ଯାଇଥିବା ପ୍ରାୟ ୨୧ ଶହରୁ ଉର୍ଦ୍ଧ୍ୱ ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରି ଦିଆଯାଇଛି । ନଷ୍ଟ କରାଯାଇଥିବା ଗଂଜେଇର ମୂଲ୍ୟ ପ୍ରାୟ ୨୧ ଲକ୍ଷରୁ ଉର୍ଦ୍ଧ ହେବ ।
ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ଭାବେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ନାୟକ, ଅବକାରୀ ବିଭାଗର ନିରୀକ୍ଷକ ରମ୍ଭା ବାଗ, ମାନସୀ ସାହୁ, ଯୋଗେଶ୍ୱର ସାହୁଙ୍କ ସମେତ ଅବକାରୀ, ପୁଲିସ ଓ ବନବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ ।

