ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଆଜି ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ସ୍ଥାନରୁ ୪୪ ଗ୍ରାମ ବ୍ରାଉନସୁଗାର ଜବତ କରିଵା ସହ ବିକ୍ରି ପାଇଁଏହି ବ୍ରାଉନସୁଗାର ମହଜୁଦ ରଖିଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ ଆଜି ଅବକାରୀ ଇନ୍ସପେକ୍ଟର ମାନସୀ ସାହୁ , ଅଫିସର ଇନ ଚାର୍ଜ ଗାୟତ୍ରୀ ମାଝୀ, ଏସ ଆଇ ଯୋଗେଶ୍ୱର ଜେନା ଓ ସଦଲବଳ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ବଳରାମପ୍ରସାଦ ଲେବଲ କ୍ରସିଂ ନିକଟରେ ସନ୍ଦେହରେ ଦେବେନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କୁ ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ ତାଙ୍କ ନିକଟରୁ ୨୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୯୦ ହଜାର ଟଙ୍କା ହେବ । ବ୍ରାଉନସୁଗାର ରଖିଥିବା ଅଭିଯୋଗରେ ଦେବେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସେହିଭଳି ଅବକାରୀ ବିଭାଗ ଗିରାଙ୍ଗ ଛକ ନିକଟରେ ପେଟ୍ରୋଲିଂ ବେଳେ ଶଶିକାନ୍ତ ସାମଲ ନାମକ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ ଶଶିକାନ୍ତଙ୍କ ପାଖରୁ ୧୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ । ଅବକାରୀ ବିଭାଗ ଶଶିକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।


