ପିଅନ ଜରିଆରେ ଲାଞ୍ଚ ନେଉଥିଲେ ଆଡ଼ିସିନାଲ ତହସିଲଦାର – ଉଭୟଙ୍କୁ ବାନ୍ଧିଲା ଭିଜିଲାନ୍ସ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ମ୍ୟୁଟେସନ ପାଇଁ ଲାଞ୍ଚ ନେଉଥିବା ବେଳେ ଦୁଇ ଜଣଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ଏକ ଜମିଜମାର ମୁଟେସନ ପାଇଁ ଆଡିସିନାଲ ତହସିଲଦାର ପିଅନ ଜରିଆରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଉଭୟଙ୍କୁ ଧରିଥିଲା ।

ସୂଚନା ଅନୁସାରେ , ଅନୁଗୁଳ ଅଞ୍ଚଳର ଓମ ପ୍ରକାଶ ଅଗ୍ରୱାଲଙ୍କର ଛେଣ୍ଡିପଦା ତହସିଲରେ ୩ ଟି ମୁଟେସନ ରହିଥିଲା । ଏନେଇ ତାଙ୍କର ଓକିଲ ବାରମ୍ବାର ଦୌଡିଥିଲେ । ଏହି ମୁଟେସନ ପାଇଁ ଛେଣ୍ଡିପଦା ଆଡିସିନାଲ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ୯ ହଜାର ଟଙ୍କା ଦାବୀ କରିଥିଲେ । ବାଧ୍ୟ ହୋଇ ଓମ ପ୍ରକାଶଙ୍କ ଓକିଲ ଅନୁଗୁଳ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଏହି ଅର୍ଥ ଦେବା ପାଇଁ ଆଜି ଓମ ପ୍ରକାଶଙ୍କ ଓକିଲ ଛେଣ୍ଡିପଦା ଆଡିସିନାଲ ତହସିଲଦାରଙ୍କୁ ଦେଉଥିବା ବେଳେ ସେ ଅଫିସର ପିଅନ କାହ୍ନା ସାହୁଙ୍କୁ ଦେବା ପାଇଁ କହିଥିଲେ । କାହ୍ନା ସାହୁ ଓକିଲଙ୍କ ଠାରୁ ୯ ହଜାର ଟଙ୍କା ନେଉଥିବା ବେଳେ ଅନୁଗୁଳ ଭିଜିଲାନ୍ସର ଆଡିସନାଲ ଏସପି ସ୍ୱସ୍ତିକ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ତାଙ୍କ ଠାରୁ  ୯ ହଜାର ଟଙ୍କା ଜବତ କରିଥିଲେ । ଏନେଇ ଭିଜିଲାନ୍ସ ଟିମ ପକ୍ଷରୁ ଆଡିସିନାଲ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ଓ କାହ୍ନା ସାହୁଙ୍କୁ ଅଟକ ରଖି ତାଙ୍କର ଅଫିସ ଚାମ୍ବର ସହିତ ସରକାରୀ ବାସଭବନକୁ ଯାଞ୍ଚ କରୁଛି । ଏହା ପରେ ଭିଜିଲାନ୍ସ ଟିମ ପିଅନ କାହ୍ନା ସାହୁଙ୍କ ପୋଡାପଡା ସ୍ଥିତ ଘର ଏବଂ ଆଡିସିନାଲ ତହସିଲଦାରଙ୍କର ତାଳଚେର ସ୍ଥିତ ଭଡା ଘର ଓ ଆଠମଲ୍ଲିକ ପୈତୃକ ବାସଭବନରେ ଚଢ଼ାଉ କରି ଆୟ ବହିରର୍ଭୁତ ସମ୍ପତ୍ତିର ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣା ପଡିଛି । ଏହି ଚଢ଼ାଉରେ ଅନୁଗୁଳ ଭିଜିଲାନ୍ସ ଡ଼ିଏସପି ପିକେ ସାମଲ , ଇନ୍ସପେକ୍ଟରଙ୍କ ସମେତ ପ୍ରାୟ ୧୦ ଜଣ ସାମିଲ ରହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page