ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନେତୃତ୍ୱରେ ଅନୁଗୁଳ ପୁଲିସ ଅନେକ ପ୍ରକାର ସାଇବର ସଚେତନତା କରାଉଛନ୍ତି । ହେଲେ ମଧ୍ୟ ଲୋକ ସଚେତନ ହୋଇ ପାରୁ ନାହାଁନ୍ତି । ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ଏବେ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି । ସାଇବର ଠକ ମା ଏ ଏପିକେ ଫାଇଲ ପଠାଇ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଋଣ କରି ୧୦ ଲକ୍ଷ ଟଙ୍କା ନେଇ ଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଫିକ୍ସ ଡିପୋଜିଟ ଭାଙ୍ଗିବା ସହ ଆକାଉଣ୍ଟରୁ ୨୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଯାଇଛନ୍ତି ।

ସୂଚନା ଅନୁସାରେ ଅନୁଗୁଳ କୁରୁଡୋଲ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଏଚ ଡି ଏଫ ସି ବ୍ୟାଙ୍କରେ ଏକ ଆକାଉଣ୍ଟ ରହିଛି । ଗତ ଡିସେମ୍ବର ମାସ ୧୭ ତାରିଖ ଦିନ ବ୍ୟାଙ୍କରୁ ଅନେକ ଗୁଡିଏ ମେସେଜ ତାଙ୍କ ମୋବାଇଲକୁ ଆସିଥିଲା । ଏତେ ମେସେଜ ଆସିବା ଯୋଗୁଁ ସେ ମୋବାଇଲରେ ଡୁ ନଟ ଡିଷ୍ଟର୍ବ ଆକ୍ଟିଭେଟ କରିଥିଲେ । ହେଲେ ଏଗା ସତ୍ୱେ ମଧ୍ୟ ମେସେଜ ଆସିବାରୁ ସେ ବାଧ୍ୟ ହୋଇ ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କ ଯାଇ ବୁଝିବା ବେଳକୁ ତାଙ୍କ ନାମରେ ୧୫ ଲକ୍ଷ ୫୬ ହଜାର ଟଙ୍କାର ପର୍ସନାଲ ଲୋନ ହୋଇଥିବା ଏବଂ ଏଥିରୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଏକ ଅଜଣା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଜାଣିବାକୁ ପାଇଥିଲେ । ମୋବାଇଲରେ ସେ M KAVACH 2 ଡାଉନଲୋଡ କରି ମୋବାଇଲରେ ଏକ ଏପିକେ ଫାଇଲ ଡାଉନଲୋଡ ହୋଇଥିବା ଏବଂ ଏହା ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟରୁ ଠକେଇ ହୋଇଥିବା ଜାଣି ସେ ସାଇବର ଥାନାରେ ଅଭିଯୋଗ କରିଥିଲେ ।
ସେହିପରି ବନ୍ତଳା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୋବାଇଲକୁ ଏକ ଆର ଟି ଓ ଚାଲାଣର ଏପିକେ ଫାଇଲ ଆସିଥିଲା । ଏହାପରେ ତାଙ୍କ ଏସ ବି ଆଇ ଆକାଉଣ୍ଟରୁ ପ୍ରଥମେ ୨୫୦୦ ଟଙ୍କା କଟିଥିଲା । ଏଗା ପରେ ପରେ ସେହି ଆକାଉଣ୍ଟରୁ ୧୫ ଟି ଟ୍ରାଞ୍ଜକସନରେ ୨୭ ଲକ୍ଷ ୮୩ ହଜାର ୯୩୪ ଟଙ୍କା କଟି ଯାଇଥିଲା । ଏହି ଟଙ୍କା ଭିତରୁ ୨୨ ଲକ୍ଷ ୪୯ ହଜାର ୭୯୮ ଟଙ୍କା ତାଙ୍କ ଫିକ୍ସ ଡିପୋଜିଟରୁ କଟିଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ଏ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଅଭିଯୋଗ ପାଇ ଉଭୟ ମାମଲାର ତଦନ୍ତ କରୁଛି ।

