ସୁନା ସଫା କରିବା ବାହାନାରେ ବଡ଼ ଠକେଇ

ଦୁଇ ଘରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଚେନ୍‌ ଲୁଟ, CCTVରେ ଖୋଜୁଛି ପୋଲିସ

ଅନୁଗୋଳ –  ସୁନା ସଫା କରିଦେବା କହି ଘରେ ପଶିଲେ, ଆଉ ଚକମା ଦେଇ ନେଇଗଲେ ଲକ୍ଷ ଲକ୍ଷ ଟଙ୍କାର ସୁନା । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ସମାନ ଢଙ୍ଗରେ ଦୁଇଟି ଘରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଚେନ୍‌ ଲୁଟ ଅଭିଯୋଗ ହୋଇଛି। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଏକ ଗ୍ୟାଙ୍ଗ ଛେଣ୍ଡିପଦା ଥାନା ଅଞ୍ଚଳର କୋଶଳା ଗଙ୍ଗାସାହିରେ ପହଞ୍ଚିଥିଲା। ଘରେ ଅନ୍ୟ ପରିବାର ସଦସ୍ୟ ନଥିବା ସୁଯୋଗ ନେଇ ସରସ୍ୱତୀ ନାଥଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ। ସୁନା ସଫା କରିବା ପାଇଁ ପାଉଡର ବିକ୍ରି କରିବାକୁ ଆସିଥିବା କହି ବୃଦ୍ଧାଙ୍କୁ ଭରସାରେ ନେଇଥିଲେ।ପ୍ରଥମେ ହାତରେ ଥିବା ଏକ ମୁଦିକୁ ପାଉଡରରେ ସଫା କରି ଦେଖାଇଥିଲେ। ମୁଦିଟି ଚକଚକ କରିବା ପରେ ବୃଦ୍ଧାଙ୍କ ବିଶ୍ୱାସ ବଢ଼ିଥିଲା। ଏହାପରେ ବେକରେ ଥିବା ସୁନା ଚେନ୍‌କୁ ସଫା କରିବାକୁ ମାଗିଥିଲେ। ଚେନ୍‌କୁ ପାଉଡର ମଧ୍ୟରେ ପକାଇ କିଛି ସମୟ ପରେ ବାହାର କରିବାକୁ କହି ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । କିନ୍ତୁ ସେମାନେ ଯିବା ପରେ ପାଉଡର ମଧ୍ୟରେ ସୁନା ଚେନ୍‌ ନଥିବା ଜଣାପଡ଼ିଥିଲା। ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଚେନ୍‌ ନେଇ ଗ୍ୟାଙ୍ଗ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ସେହି ଦିନ ମଧ୍ୟାହ୍ନରେ ଛେଣ୍ଡିପଦା ଥାନା ପଛପଟ ବେହେରାସାହିରେ ମଧ୍ୟ ସମାନ ଢଙ୍ଗରେ ଜଣେ ବୃଦ୍ଧାଙ୍କୁ ଠକି ସୁନା ନେଇ ଫେରାର ହୋଇଥିବା ଅଭିଯୋଗ ହୋଇଛି। ପ୍ରତିମା ପ୍ରଧାନଙ୍କ ଠାରୁ ମଧ୍ୟ ସୁନା ସଫା କରିବା ବାହାନାରେ ଗ୍ୟାଙ୍ଗ ସୁନା ଚେନ୍‌ ନେଇଥିବା ଜଣାପଡ଼ିଛି।

ଦୁଇଟି ଘଟଣାରେ ମୋଟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଲୁଟ ହୋଇଥିବା ଅଭିଯୋଗ ପରେ ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଛେଣ୍ଡିପଦା ଓ ଆଖପାଖ ଅଞ୍ଚଳର ବିଭିନ୍ନ ସିସି ଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି।

ସୁନା ସଫା କରିବା ନାଁରେ ଘରେ ପଶି ଏଭଳି ଠକେଇ ଘଟଣା ବଢ଼ୁଥିବାରୁ ଅଜଣା ବ୍ୟକ୍ତିଙ୍କୁ ଘରେ ପ୍ରବେଶ କରାଇବା ପୂର୍ବରୁ ସତର୍କ ରହିବାକୁ ପୋଲିସ ପରାମର୍ଶ ଦେଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page