ଅନୁଗୋଳ – ଅନୁଗୋଳ ସହରର ୮ ନମ୍ବର ଗଳିସ୍ଥିତ ପୌରପାଳିକା ସୁପରମାର୍କେଟର ପାର୍କିଂ ଜାଗା ଜବରଦଖଲ କରି ଦୋକାନର ସାମଗ୍ରୀ ରଖାଯାଉଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଏବେ ପ୍ରଶାସନିକ ସ୍ତରରେ ପହଞ୍ଚିଛି। ଏହି ଅଭିଯୋଗ ଆଧାରରେ ମାମଲାର ତଦନ୍ତ କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁଗୋଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍ଡିସି)। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ଆର୍ଡିସିଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ମଧ୍ୟ କୁହାଯାଇଛି।

ଅଭିଯୋଗପତ୍ରରେ ୮ ନମ୍ବର ଗଳିର ବାସିନ୍ଦାମାନେ ଦର୍ଶାଇଛନ୍ତି ଯେ, ଅନୁଗୋଳ ପୌରପାଳିକାର ସୁପରମାର୍କେଟରେ ୨୬ଟି ଦୋକାନ ରହିଛି। ତେବେ ରୁମ୍ ନମ୍ବର ୧ ଓ ୧୩ର ଦୋକାନ ମାଲିକମାନେ ନିଜ ଦୋକାନ ସମ୍ମୁଖର ପାର୍କିଂ ଅଞ୍ଚଳକୁ ବ୍ୟବହାର କରି ସେଠାରେ ବ୍ୟବସାୟିକ ସାମଗ୍ରୀ ରଖୁଥିବାରୁ ପାର୍କିଂ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ଫଳରେ ସୁପରମାର୍କେଟକୁ ଆସୁଥିବା ଗ୍ରାହକ ଓ କର୍ମଚାରୀଙ୍କ ଗାଡ଼ି ଗଳି ଅଞ୍ଚଳରେ ରଖାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ‘ଚକାଡୋଳା’ ନାମକ ଦୋକାନର ମାଲିକ ମାନସ କୁମାର ସାହୁଙ୍କ ବିରୋଧରେ ଧମକଚମକ ଦେବା ସହ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଭାବିତ କରୁଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ଅଣାଯାଇଛି। ପୂର୍ବରୁ ପୌରପାଳିକାର ଜଣେ ଏକ୍ଜିକ୍ୟୁଟିଭ୍ ଅଫିସରଙ୍କ ସହ ମାରପିଟ ଘଟଣା ନେଇ ମାମଲା ହୋଇଥିବା ଏବଂ ପରେ ଅଭିଯୁକ୍ତ ହାଇକୋର୍ଟରୁ ଜାମିନ ପାଇଥିବା ଦାବି ମଧ୍ୟ ଅଭିଯୋଗପତ୍ରରେ ରହିଛି। ତେବେ ଏସବୁ ଅଭିଯୋଗର ସତ୍ୟତା ସମ୍ପର୍କରେ ଦସ୍ତାବିଜରେ କୌଣସି ନିଷ୍କର୍ଷ ଦିଆଯାଇନାହିଁ; ତଦନ୍ତ ପରେ ତଥ୍ୟ ସ୍ପଷ୍ଟ ହେବ।
ସ୍ଥାନୀୟ ବାସିନ୍ଦାମାନେ ରୁମ୍ ନମ୍ବର ୧ ଓ ୧୩ ସମ୍ମୁଖରେ ପାର୍କିଂ ଅଞ୍ଚଳକୁ ଦଖଲ କରି ସାମଗ୍ରୀ ରଖିବା ବନ୍ଦ କରିବା ସହ ପାର୍କିଂ ଅଞ୍ଚଳରେ ସ୍ପଷ୍ଟ ଭାବେ ‘ପାର୍କିଂ’ ବୋର୍ଡ ଲଗାଇବାକୁ ଦାବି କରିଛନ୍ତି। ଅଭିଯୋଗର ନକଲ ଅନୁଗୋଳ ଜିଲ୍ଲାପାଳ, ପୌରପାଳିକା ଏକ୍ଜିକ୍ୟୁଟିଭ୍ ଅଫିସର, ତହସିଲଦାର, ଗୃହ ଓ ନଗର ଉନ୍ନୟନ ବିଭାଗ, ଆର୍ଡିସି (କେନ୍ଦ୍ରାଞ୍ଚଳ), ଅନୁଗୋଳ ଆଦର୍ଶ ଥାନା ଓ ଏସ୍ପିଙ୍କ କାର୍ଯ୍ୟାଳୟକୁ ମଧ୍ୟ ପଠାଯାଇଛି।
ଏବେ ଆର୍ଡିସିଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନର ତଦନ୍ତରେ ପାର୍କିଂ ଜାଗା ଜବରଦଖଲ ଅଭିଯୋଗର ବାସ୍ତବତା କେତେ ରହିଛି ଏବଂ ଏନେଇ କ’ଣ ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ନଜର।

