ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ସାନବାଘଧରି ଗାଁରେ ସ୍କ୍ରବ୍ ଟାଇଫସ୍କୁ ନେଇ ଚିନ୍ତା ବଢ଼ିଛି। ଏହି ରୋଗରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଗାଁର ସୁମନ୍ତ ସେଠୀ। ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁମନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଅନୁଗୋଳ ସ୍ୱାସ୍ଥ୍ୟ ବିଭାଗ ମୃତ୍ୟୁର ପ୍ରକୃତ କାରଣ ନେଇ ତଦନ୍ତ କରୁଛି ।

ଅନ୍ୟପଟେ, ଗାଁରେ ସ୍କ୍ରବ୍ ଟାଇଫସ୍ରେ ଦୁଇଜଣ ଆକ୍ରାନ୍ତ ହୋଇଥିବା ସୂଚନା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ଅନୁଗୋଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଜଣିଆ ଏକ ମେଡିକାଲ ଟିମ୍ ସାନବାଘଧରି ଗାଁରେ ପହଞ୍ଚିଛି। ଟିମ୍ ପକ୍ଷରୁ ଗାଁରେ ଜ୍ୱରରେ ଆକ୍ରାନ୍ତ ଥିବା ଲୋକଙ୍କ ଚିହ୍ନଟ କରାଯିବା ସହ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଉଛି। ରୋଗର ସ୍ଥିତି ଓ ଆକ୍ରାନ୍ତଙ୍କ ସଂଖ୍ୟା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି। ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚି ଆବଶ୍ୟକ ପରୀକ୍ଷା କରୁଥିବା ବେଳେ ସ୍କ୍ରବ୍ ଟାଇଫସ୍କୁ ନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଦନ ମୋହନ ପ୍ରଧାନଙ୍କ ସୂଚନା ଅନୁସାରେ, ଗାଁର ସମସ୍ତ ଜ୍ୱର ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ତଦନ୍ତ ଚାଲିଛି।

