
ଅନୁଗୁଳ – ମୁଣ୍ଡରେ ଠେକା ହାତରେ ଦ୍ବିପହରର ଖାଇବା ମୁଣି । କଳା ଛତାଟେ ଧରିଲେ ଚଳୁଥିଲା , ନହେଲେ ନାହିଁ । କରଡାଗାଡିଆଠାରୁ ବିଲର ଦୂରତା ଥିଲା ୩ କିଲୋମିଟର । ସୂର୍ଯ୍ୟ ଉଇଁବା ଦେଖି ଯାଉଥିଲେ , ଫେରୁ ଫେରୁ ମୁହଁ ସଞ୍ଜ ଅନ୍ଧାର ହୋଇଯାଉଥିଲା । ବିବାହର ୩ ବର୍ଷ ପରେ ନୀଳମଣିଙ୍କ ମୁଣ୍ଡରେ ଖେଳିବା ଭୂତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । କିନ୍ତୁ ନୀଳମଣି ଥିଲେ ଜିଦରେ ଅଟଳ । ଦୌଡିଲେ … । ଦୈଡର ବେଗ ଏତେ ଦୃତ ଥିଲା କି ଚାଷୀ ଜୀବନ କେତେବେଳେ ଆଥଲେଟ୍ ର ଶୃଙ୍ଖଳାରେ ବାନ୍ଧି ହୋଇଗଲା ଜଣାପଡ଼ିଲା ନାହିଁ । ଜୀବନର ଆଙ୍ଗୁଳି ଧରି ବାଟ ବଦଳାଇଥିବା ୫୩ ବର୍ଷୀୟ ନୀଳମଣି ଦାସ ଆଜି ଅନ୍ୟମାନଙ୍କ ପାଇଁ ଆଦର୍ଶ । ଯେ କି ଅନେକ ପ୍ରତିଯୋଗିତାରେ ଭାଗ ନେବା ସହ ପଦକ ହାସଲ କରିଛନ୍ତି । ନୀଳମଣି ଦୀର୍ଘ ୧୭ ବର୍ଷ ଧରି ରାଜ୍ୟର ବିଭିନ୍ନ ଆଥଲେଟିକ୍ ମିଟ୍ରେ ଅଂଶ ଗ୍ରହଣ କରିଆସୁଛନ୍ତି ।


