ତାଳଚେର – ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବିଶ୍ୱପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ଆଜି ସପ୍ତମ ଦିବସରେ ପହଞ୍ଚିଛି। ଗୋପାଳ ପ୍ରସାଦ ପୀଠରେ ମା’ଙ୍କ ଅଗ୍ନି ସ୍ୱରୂପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ହୋଇଥିବା ବେଳେ ସାଂସ୍କୃତିକ ମଞ୍ଚରେ ପ୍ରଶାସନିକ ଏବଂ ଜନପ୍ରତିନିଧିଙ୍କ ସମାଗମ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲା।

ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଅନୁଗୋଳ ଜିଲ୍ଲା ପରିଷଦର ଶୀର୍ଷ ନେତୃତ୍ୱବୃନ୍ଦ ଉଦ୍ଘାଟନ କରିଥିଲେ । ଅତିଥି ଭାବେ ଅନୁଗୋଳ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ବବିତା ପ୍ରଧାନ, ଉପ-ସଭାପତି ଶ୍ରୀମତୀ ରଶ୍ମିତା ସେଠୀ ଯୋଗଦେଇ ମା’ଙ୍କ ମହିମା ଓ ଅଞ୍ଚଳର ସାଂସ୍କୃତିକ ବିକାଶ ଉପରେ ନିଜର ବକ୍ତବ୍ୟ ରଖିଥିଲେ।
ଏଥିସହ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ରଞ୍ଜନ କୁମାର ସାହୁ (ଜୋନ୍-୦୯), ଶ୍ରୀ ବବ୍ରୁ ପ୍ରସାଦ ପତି (ଜୋନ୍-୧୯), କୁମାରୀ ରୀତା ଦାସ (ଜୋନ୍-୨୦) ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଗାରିମା ବଢ଼ାଇଥିଲେ।

ସପ୍ତମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ପାରମ୍ପରିକ ଓ ଆଧୁନିକ କଳାର ଏକ ଚମତ୍କାର ମିଶ୍ରଣ ଥିଲା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ଶ୍ରୀକ୍ଷେତ୍ର ପୁରୀର ପ୍ରସିଦ୍ଧ ‘ମୟୂର ସାଂସ୍କୃତିକ ଏକାଡ଼େମୀ’ର କଳାକାରବୃନ୍ଦ। ସେମାନଙ୍କ ଦ୍ୱାରା ପରିବେଷିତ ମନୋଜ୍ଞ ନୃତ୍ୟ ଓଡ଼ିଶାର ସାଂସ୍କୃତିକ ଗାରିମାକୁ ମଞ୍ଚରେ ଜୀବନ୍ତ କରିଥିଲା। ସେହିପରି ଅନୁଗୋଳର ‘କଳିଙ୍ଗ କଳା ନିକେତନ’ ପକ୍ଷରୁ ଓଡ଼ିଶାର ମାଟି ଓ ପରମ୍ପରାକୁ ନେଇ ପ୍ରସ୍ତୁତ ଲୋକନୃତ୍ୟ ଦର୍ଶକଙ୍କ ମଧ୍ୟରେ ଅନେକ ଆଦୃତି ଲାଭ କରିଥିଲା। ଏହାପରେ ଯୁବପିଢ଼ିଙ୍କ ପ୍ରିୟ ଗଡ଼ତାଲ କଲେଜର ରେନ୍ବୋ ଡ୍ୟାନ୍ସ କ୍ରୁ, ଶ୍ରୀ ସାଇ ଏବଂ ହରଗୌରୀ ଡ୍ୟାନ୍ସ ଗ୍ରୁପ୍ ମଞ୍ଚରେ ନିଜର ଜଲୱା ଦେଖାଇଥିଲେ। ସେମାନଙ୍କର ହାଇ-ଭୋଲଟେଜ୍ ଆଧୁନିକ ନୃତ୍ୟ ପୁରା ପଡ଼ିଆକୁ ଦୋହଲାଇ ଦେଇଥିବା ବେଳେ ଯୁବ ଦର୍ଶକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା।

ସପ୍ତମ ସନ୍ଧ୍ୟାର ସବୁଠାରୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ କଣ୍ଠଶିଳ୍ପୀ ବିଶ୍ୱ ମୋହନ କବି ଓ ତାଙ୍କ ସାଥୀଙ୍କ ଦ୍ୱାରା ପରିବେଷିତ ସଙ୍ଗୀତ ଆସର। ବିଶ୍ୱ ମୋହନଙ୍କ ସୁମଧୁର କଣ୍ଠରୁ ନିସୃତ ମା’ଙ୍କ ଭକ୍ତିପୂତ ଭଜନ ଶୁଣି ହଜାର ହଜାର ଭକ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ। ଭଜନ ସରିବା ପରେ ଜନପ୍ରିୟ ଓଡ଼ିଆ ସଙ୍ଗୀତର ତାଳେ ତାଳେ ଦର୍ଶକମାନେ ନାଚିଥିଲେ। ସଙ୍ଗୀତ ସହ ନୃତ୍ୟଶିଳ୍ପୀଙ୍କ ଚିତ୍ତାକର୍ଷକ ସମନ୍ୱୟ ଏହି ସନ୍ଧ୍ୟାକୁ ଚିରସ୍ମରଣୀୟ କରିଦେଇଥିଲା।

