ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ ମାର୍ଗଦର୍ଶନ କରି ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛନ୍ତି । ଗାଁର ଝିଅ ରାଜ୍ୟସ୍ତରରେ ନିଜକୁ ପ୍ରତିପାଦିତ କରି ଗାଁ ତଥା ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ଏହି ସଫଳତା ପାଇବାକୁ ସେ ଅନେକ କଷ୍ଟ ମଧ୍ୟ ସହିଛନ୍ତି । ବହୁ ଘାତପ୍ରତିଘାତକୁ ସହି ଲକ୍ଷ୍ୟ ସ୍ଥିର କରି ଆଗକୁ ଆଗକୁ ବଢ଼ି ଚାଲିଛନ୍ତି । ଆର୍ଥିକ ଓ ସାମାଜିକ ପ୍ରତିବନ୍ଧକକୁ ଖାତିର ନକରି ସଫଳତାର ସିଡ଼ି ଚଢ଼ି ଚାଲିଛନ୍ତି ଗାୟତ୍ରୀ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ)ର ମହିଳା କ୍ରିକେଟ୍ ଟିମ୍ର ଟେକ୍ନିକାଲ୍ ଆନାଲିଷ୍ଟ୍ ଭାବେ ଗାୟତ୍ରୀ ସଫଳତାର ସହ କାର୍ଯ୍ୟ ଜାରି ରଖିଛନ୍ତି ।
ଅନୁଗୁଳ ସହରଠାରୁ ପ୍ରାୟ ୩୦ କିମି ଦୂର ମଫସଲ ଅଞ୍ଚଳ ଉଗୀ ମାଳିସାହି ଗାଁର ଝିଅ ହେଉଛନ୍ତି ଗାୟତ୍ରୀ । ଝିଅକୁ ନେଇ ଏବେ ବାପା ହେମନ୍ତ ବେହେରା ଓ ମା’ବୀଣାପାଣି ବେହେରାଙ୍କ ସମେତ ପରିବାର ଓ ଗ୍ରାମବାସୀ ଗର୍ବିତ ।



