ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ନୂତନ ଭାବେ ଆରମ୍ଭ ହୋଇଥିବା ନୟନୀ କୋଇଲା ଖଣିକୁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦେଶରେ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ଯାହା ଫଳରେ ଆଜିଠାରୁ ଛେଣ୍ଡିପଦାସ୍ଥିତ ନୟନୀ (ସିଙ୍ଗାରେଣି) ଖଣି କାର୍ଯ୍ୟ ବନ୍ଦ ରହିଛି ।
ସୂଚନା ଅନୁସାରେ , କିଛି ମାସ ତଳେ ନୂତନ ଭାବେ ଆରମ୍ଭ ହୋଇଥିବା ନୟନୀ କୋଇଲା ଖଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଏପରିକି କୋଇଲା ଖଣି ପାଇଁ ଗଛ କଟା ଠାରୁ ଆରମ୍ଭ କରି ବିସ୍ଥାପିତ ଲୋକଙ୍କ ସମସ୍ୟାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା । ଏ ନେଇ ସ୍ଥାନୀୟ କ୍ଷତିଗ୍ରସ୍ତ ପ୍ରଜା ମାନେ ନୟନୀ କୋଇଲା ଖଣିର ସିଙ୍ଗରାଣୀ କତୃପକ୍ଷଙ୍କୁ ସ୍ଥାନୀୟ ଲୋକଙ୍କର ନିଯୁକ୍ତି, ଥଇଥାନ ଠାରୁ ଆରମ୍ଭ କରି ବିଭିନ୍ନ ଦାବି ଉପସ୍ଥାପନା କରିଥିଲେ ମଧ୍ୟ ତାର ସମାଧାନ ହୋଇ ପାରିନଥିଲା । ଏଥିପାଇଁ କ୍ଷତିଗ୍ରସ୍ତ ଗ୍ରାମବାସୀ ମାନେ ସମ୍ବଲପୁର ସାସଂଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଛେଣ୍ଡିପଦା ଗସ୍ତ ଥିବା ବେଳେ କୋଇଲା ଖଣିର ମନମୁଖୀ କାର୍ଯ୍ୟକୁ ନେଇ ଅଭିଯୋଗ କରିବା ସହିତ ବହୁ ଜନ ସାଧାରଣ ଏହାର ସମାଧାନ ପାଇଁ ଲିଖିତ ଦାବି ଜଣାଇଥିଲେ । ଏପରିକି କେନ୍ଦ୍ରମନ୍ତ୍ରୀ ତାଳଚେର ଅଞ୍ଚଳରୁ କାର୍ଯ୍ୟକ୍ରମ ସାରି ଛେଣ୍ଡିପଦା ଆସୁଥିବା ବେଳେ କରଡ଼ାବାହାଳର ଶତାଧିକ ଗ୍ରାମବାସୀ କୁକୁରପେଟା ଠାରେ ମନ୍ତ୍ରୀଙ୍କ କାରକେଡ଼କୁ ଅଟକାଇ ସିଙ୍ଗରେଣୀ କମ୍ପାନୀର ମନମୁଖୀ ନିଯୁକ୍ତି, ଥଇଥାନ ଏବଂ ଛେଣ୍ଡିପଦା ଅଞ୍ଚଳରୁ ଗଛ କଟାଯିବ କିନ୍ତୁ ଏହାର ବଦଳରେ ବାଲେଶ୍ଵର, କୋରାପୁଟ ଆଦି ଅଞ୍ଚଳରେ ଗଛ ଲଗାଯାଉଛି ବୋଲି ଅଭିଯୋଗ କରିଥିଲେ । ଛେଣ୍ଡିପଦା ଅଞ୍ଚଳରୁ ଗଛ କାଟିବା ଫଳରେ ଅଞ୍ଚଳର ପ୍ରଦୂଷଣ ମାତ୍ରା ବୃଦ୍ଧି ହେବ ବୋଲି ଅଭିଯୋଗ ମଧ୍ୟ କରିଥିଲେ । ଏଭଳି ଅଭିଯୋଗ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଏହି ଘଟଣାର ସମାଧାନ ପାଇଁ ତୁରନ୍ତ ଜଣେ ଏଡିଏମ ପାହ୍ୟାର ଲୋକଙ୍କୁ ନିଯୁକ୍ତ କରି ଲୋକଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାର ନିଜେ ମଧ୍ୟ ସମୀକ୍ଷା କରିବେ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଏହା ପରେ ଆଜି(ଶୁକ୍ରବାର) ଛେଣ୍ଡିପଦା ପୁଲିସ ପ୍ରଶାସନ ପକ୍ଷରୁ ନୟନୀ କୋଇଲା ଖଣିକୁ ଯାଇ ଖଣି କାର୍ଯ୍ୟକୁ ବନ୍ଦ କରି ଡ଼ିଆ ଯାଇଛି । ଏନେଇ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖଣି କାର୍ଯ୍ୟ ବନ୍ଦ କରାଯାଇଥିବା ଛେଣ୍ଡିପଦା ପୁଲିସ ସୂଚନା ଦେଇଛି । ଯେ ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟାର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଖଣି ବନ୍ଦ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।