ଅନୁଗୋଳ – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଡେରେଜାଙ୍ଗ ଡ୍ୟାମର ଜଣେ ୱାଚମ୍ୟାନ୍ଙ୍କୁ ଭୋଜି କରିବା ବାହାନାରେ ଡାକି ନେଇ ସଂଘବଦ୍ଧ ଭାବେ ହତ୍ୟା ମାମଲାରେ ଅନୁଗୋଳ ଜିଲ୍ଲା ଦୌରା ଜଜ ଅଦାଲତ ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ୧୯ ଜଣ ସାକ୍ଷୀଙ୍କ ବୟାନ ଏବଂ ପ୍ରମାଣକୁ ଆଧାର କରି ଶୁକ୍ରବାର ଅନୁଗୋଳ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ହୃଷୀକେଶ ଆଚାର୍ଯ୍ୟ ଏହି ରାୟ ଶୁଣାଇଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ୧୦ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ସେମାନେ ହେଲେ ସଦର ଥାନା ଅଧୀନ ରନ୍ତଲେଈ ଗ୍ରାମର ଜିତୁ ଓରଫ ଜିତେନ୍ଦ୍ର ସାହୁ, ସଂଗ୍ରାମ ଓରଫ ମଣ୍ଟୁ ସାହୁ, ଜିତେନ୍ଦ୍ର ବିଶ୍ୱାଳ, ବିଭୂତି ସାହୁ, ତରଣୀ ସାହୁ, ଛବି ସାହୁ, ଗୋବିନ୍ଦ ସାହୁ, ମମାଲି ସାହୁ, ସୁବାସିନୀ ସାହୁ ଓ ବାସନ୍ତୀ ସାହୁ।
ଅଦାଲତ ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଭୋଜି ବାହାନାରେ ଡାକି ନେଇଥିଲେ
ସୂଚନା ଅନୁଯାୟୀ, ମୃତକ ଜଗନ ଓରଫ ଜଗନ୍ନାଥ ସେନାପତି ଡେରେଜାଙ୍ଗ ଡ୍ୟାମରେ ୱାଚମ୍ୟାନ୍ ଭାବେ କାମ କରୁଥିଲେ । ୨୦୨୧ ମସିହା ସେପ୍ଟେମ୍ବର ୧୮ ତାରିଖ ରାତି ପ୍ରାୟ ସାଢ଼େ ୮ଟା ସମୟରେ ଜଣେ ଯୁବକ ତାଙ୍କୁ ଭୋଜି କରିବାକୁ ଡାକିଥିଲେ। ଜଗନ ଲୁଙ୍ଗି ଓ ରେନ୍କୋଟ୍ ପିନ୍ଧି ତାଙ୍କ ସହ ବାଇକ୍ରେ ଡ୍ୟାମ୍ ଆଡ଼କୁ ଯାଇଥିଲେ। ରନ୍ତଲେଈ ପଟୁ ଡ୍ୟାମ୍କୁ ଯିବା ରାସ୍ତାର ପ୍ରାୟ ୨୦୦ ମିଟର ଯିବା ପରେ ଜଗନଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଖଣ୍ଡା, ବାଡ଼ି ଓ ଟାଙ୍ଗିଆ ଭଳି ମାରଣାସ୍ତ୍ରରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ତାଙ୍କ ମୁଣ୍ଡର ଡାହାଣ ପାର୍ଶ୍ୱରେ ଗଭୀର କ୍ଷତ ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ସେଠାରେ ଛାଡ଼ି ଅଭିଯୁକ୍ତମାନେ ଚାଲିଯାଇଥିବା ମାମଲାରେ ଦର୍ଶାଯାଇଥିଲା।
୧୯ ସାକ୍ଷୀଙ୍କ ବୟାନ
ମାମଲାର ଶୁଣାଣି ସମୟରେ ଅଦାଲତରେ ମୋଟ ୧୯ ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟ ଓ ଉପସ୍ଥାପିତ ପ୍ରମାଣକୁ ବିଚାର କରି ଅଦାଲତ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାୟ ଶୁଣାଣି ସମୟରେ ୬ ଜଣ ଅଭିଯୁକ୍ତ ଜାମିନରେ ଥିବାବେଳେ ଅନ୍ୟ ୪ ଜଣ ଜେଲ୍ରେ ଥିଲେ।
ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏସ୍ଆଇ ଶ୍ରୀନିବାସ ସେଠୀ। ଅଭିଯୋଗକାରୀଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଅରୁଣ କୁମାର ସାମଲ ମାମଲା ପରିଚାଳନା କରିଥିଲେ। ଅନୁଗୋଳ ଡେପୁଟି ଡାଇରେକ୍ଟର ଗଣେଶ କୁମାର ବେହେରା ମାମଲାର ନିରୀକ୍ଷଣ କରିଥିଲେ। ମୃତକଙ୍କ ପରିବାର ପକ୍ଷରୁ ବରିଷ୍ଠ ଆଇନଜୀବୀ ତାପସ ରଞ୍ଜନ ମିଶ୍ର ମାମଲା ପରିଚାଳନା କରିଥିଲେ।

