ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଅଭିନବ ପ୍ରୟାସ । ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ଭାରତୀୟ ସୈନିକଙ୍କୁ ପଠାଇଲେ ରାକ୍ଷୀ । ଭାରତୀୟ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମା ଏକ ଅନନ୍ୟ ପର୍ବ ଯାହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଅତୁଟ ସ୍ନେହ ଓ ବିଶ୍ୱାସର ବନ୍ଧନକୁ ସୁଦୃଢ କରିଥାଏ । ଏହି ପବିତ୍ର ଅବସରକୁ ଆଖି ଆଗରେ ରଖି ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ ଏକ ପ୍ରଶଂସନୀୟ ଉଦ୍ୟମ ମାଧ୍ୟମରେ ଭାରତୀୟ ସୀମାରେ ନିୟୋଜିତ ବୀର ସୈନିକମାନଙ୍କୁ ରାକ୍ଷୀ ପଠାଇ ସେମାନଙ୍କ ସୁରକ୍ଷା ଓ କୁଶଳତା ପାଇଁ ପ୍ରାର୍ଥନା କରିଛନ୍ତି ।

ଏହା ମହାବିଦ୍ୟାଳୟର ଏକ ପରମ୍ପରା , ଯେଉଁଥିରେ ଛାତ୍ରୀମାନେ ପ୍ରତିବର୍ଷ ଏହି ଉଦ୍ୟମ ଜାରି ରଖିଛନ୍ତି । ଯାହା ଦେଶପ୍ରେମ ଓ ଭାଇଚାରାର ଏକ ଅନୁପମ ଦୃଷ୍ଟାନ୍ତ ସ୍ଥାପନ କରୁଛି । ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରୀମାନେ ସ୍ୱହସ୍ତରେ ରାକ୍ଷୀ ପ୍ରସ୍ତୁତ କରି ସୈନିକମାନଙ୍କୁ ପଠାଇବା ସହ ସେମାନଙ୍କ ପାଇଁ ଆନ୍ତରିକ ଶୁଭେଚ୍ଛା ଓ ପ୍ରାର୍ଥନା ଜଣାଇଥିଲେ । ଛାତ୍ରୀମାନଙ୍କ ଏହି ଉଦ୍ୟମ କେବଳ ରାକ୍ଷୀ ପଠାଇବାରେ ସୀମିତ ନ ରହି ଦେଶପ୍ରେମ, ସାମାଜିକ ସଚେତନତା ଓ ଭାଇଚାରାର ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରୀମାନେ ସୈନିକମାନଙ୍କୁ ସେମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବା ସହ ନୂଆ ପିଢ଼ିଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବାକୁ ଚେଷ୍ଟା କରିଛନ୍ତି । ଛାତ୍ରୀମାନଙ୍କ କହିବା ଅନୁଯାୟୀ ଦେଶର ସୁରକ୍ଷା ପାଇଁ ସୈନିକ ମାନେ ଦିନ ରାତି ବୋଡ଼ର୍ ରେ ରହି ଶତ୍ରୁ ମାନଙ୍କ କବଳରୁ ଆମକୁ ରକ୍ଷା କରୁଛନ୍ତି । ରକ୍ଷା ବନ୍ଧନ ଭଳି ପବିତ୍ର ଦିନରେ ମଧ୍ୟ ସେମାନେ ନିଜ ଭଉଣୀ ଠାରୁ ଦୂରରେ ରହୁଛନ୍ତି । ତେଣୁ ଆମେ ମାନେ ସେହି ବୀର ଭାଇ ମାନଙ୍କୁ ଆହୁରି ସାହସୀ , ନିର୍ଭୀକ ଏବଂ ସୁରକ୍ଷିତ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରି ସୁରକ୍ଷା କବଚ ଭାବେ ରାକ୍ଷୀ ପଠାଉଛୁ ।