ପୁଲିସକୁ ଆଣ୍ଠେଇ ଦେବାକୁ ଧମକ ଦେଇ ମେଲୋଡି କାର୍ଯ୍ୟକ୍ରମ କରିବା ପଡିଲା ମହଙ୍ଗା – ଥାନାରୁ ଜିମାରେ ଗଲେ କର୍ମକର୍ତ୍ତା

ଅନୁଗୁଳ – ନିୟମକୁ ବେଖାତିର କରି ବିଳମ୍ବିତ ରାତି ଯାଏ ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା । ଏପରିକି ପୁଲିସ ଯାଇ ମେଲୋଡି ବନ୍ଦ କରିବାକୁ କହିବା ସତ୍ୱେ ଅଣଦେଖା କରିଥିଲେ । ଏପରିକି ପୁଲିସକୁ ଧମକ ଦେଇଥିଲେ । ବରି‌ଷ୍ଠ ପୁଲିସ ଅଧିକାରୀ ଆସିଲେ ଆଣ୍ଠେଇଦେବୁ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେବାକୁ ପଛେଉଳେ ନାହିଁ । ଏମିତି ଅଭାବନୀୟ ଘଟଣା ଅନୁଗୁଳ ସହର ହୁଲୁରିସିଂହାରେ ଥିବା ଆଲମ କ୍ଲବ୍‌ ପକ୍ଷରୁ ଗଣେଶ ପୂଜା ଅବସରରେ ଚାଲିଥିବା ମେଲୋଡ଼ି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ପୁଲିସ୍‌କୁ କ୍ଲବ୍‌ କର୍ମକର୍ତ୍ତା ଓ ସଦସ୍ୟ ମନଇଚ୍ଛା ଗାଳି ଦେବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଲୋଡି କରିଥିଲେ । ଏଥିନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଛି । କ୍ଲବ୍‌ କର୍ମକର୍ତ୍ତାଙ୍କୁ ଉଠାଇ ଆଣି ଚେତାବନୀ ଦେବା ସହ ନୋଟିସ୍‌ ଜାରି କରିଛି ।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଆଲମ କ୍ଲବ୍‌ ପକ୍ଷରୁ ଗଣେଶ ପୂଜା ଅବସରରେ ମେଲୋଡି ଚାଲିଥିଲା ।  ପ୍ରଶାସନ ପକ୍ଷରୁ ରାତି ୧୦ ଟା ଯାଏ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିବାକୁ ପୂର୍ବରୁ କମିଟି ମାନଙ୍କୁ ନିର୍ଦେଶ ଥିଲା । ତେବେ ବିଲମ୍ବିତ ରାତି ଯାଏ ମେଲୋଡି ଚାଲୁଥିବା ଯୋଗୁଁ ରାତି ସାଢ଼େ ୧୦ଟା‌ରେ ପୁଲିସ ପହଞ୍ଚି ମେଲୋଡି ବନ୍ଦ କରିବାକୁ ନିର୍ଦେଶ ଦେଇଥିଲା । ହେଲେ କର୍ମକର୍ତ୍ତା ମାନେ ପୁଲିସ କଥାକୁ ଭ୍ରୁକ୍ଷେପ ନକରି କାହିଁକି ମେଲୋଡି ବନ୍ଦ କରିବୁ ବୋଲି ଓଲଟି ପ୍ରଶ୍ନ କରିବା ସହ ଆମ ପାଇଁ ପୁଲିସ ଅନୁମତି ଦରକାର ନାହିଁ ବୋଲି କହିଥିଲେ । ଏପରିକି ଆମ ଇଚ୍ଛା ଅନୁସାରେ ମେଲୋଡି ଚାଲିବ ବୋଲି କହିଥିଲେ । ପରିସ୍ଥିତି ଦେଖି ସେଠାରେ ଥିବା ପୁଲିସ ମୋବାଇଲ ଟିମ୍‌କୁ ଖବର ଦେଇଥିଲେ । ମୋବାଇଲ ଟିମ ପହଞ୍ଚିବା ପରେ ମୋବାଇଲ ଟିମ୍‌କୁ ମଧ୍ୟ ଖାତିର କରି ନଥିଲେ । ବରଂ ପୁଲିସ ଅଧିକାରୀଙ୍କୁ ଗାଳିଗୁଲଜ କରିଥି‌ଲେ । ଏପରିକି ବରିଷ୍ଠ ପୁକିସ ଅଧିକାରୀ ଆସିଲେ ତାଙ୍କୁ ମଧ୍ୟ ଏଠାରେ ଆଣ୍ଠେଇ ଦେବୁ ବୋଲି ଧମକ ଦେଇଥିଲେ । ବାଧ୍ୟହୋଇ ପୁଲିସ ଅଧିକାରୀ ଏ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି , ଅନୁଗୁଳ ଥାନାରେ ରିପୋର୍ଟ କରିଥିଲେ । ରିପୋର୍ଟ ଆଧାରରେ ଅନୁଗୁଳ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅନୁଗୁଳ ଏସ୍‌ପି ରାହୁଲ ଜୈନ ନିଜେ ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ । ଏହାପରେ ପୁଲିସ ୪ ଜଣ କର୍ମକର୍ତ୍ତାଙ୍କୁ ଥାନାକୁ ଆଣିବା ସହ କର୍ମକର୍ତ୍ତାଙ୍କୁ ନୋଟିସ ଜାରି କରି ଚେତାବନୀ ଦେଇ ଛାଡ଼ିଛି । ତେବେ ଏଭଳି ଘଟଣା ସହରରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ କାହା ବଳରେ ପୁଲିସକୁ ଗାଳି ଦେବାକୁ କ୍ଲବ୍‌ କର୍ମକର୍ତ୍ତା ସାହସ କଲେ ତା’କୁ ‌ନେଇ ନାନା ଚର୍ଚ୍ଚା ବେଉଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page