ଅନୁଗୋଳ – ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ଜଣେ ଡାକ କର୍ମଚାରୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ଅନୁଗୋଳ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (ସିଜେଏମ୍) ଶରତ କୁମାର ଜେନା ଆଜି ଏହି ରାୟ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ଅଶ୍ୱତ୍ଥାମା ନାୟକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦାୟେ ଆଉ ଏକ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ନିର୍ଦ୍ଦେଶ ରହିଛି।

ମାମଲାରୁ ପ୍ରକାଶ ଯେ, ଅଶ୍ୱତ୍ଥାମା ନାୟକ ଚମ୍ପତିମୁଣ୍ଡା ଶାଖା ଡାକଘରେ ଜିଡିଏସ୍ଏମ୍ଡି ଭାବେ କାର୍ଯ୍ୟରତ ଥିଲେ। ସେ ହୁଲୁରିସିଂହା ଉପଡାକଘର ଅଧୀନରେ ଥିବା ପୁରୁଣାଗଡ଼ ଶାଖା ଡାକଘରେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୫ ଜୁଲାଇ ୨୮ ତାରିଖରେ ଜଣେ ଜମାକାରୀଙ୍କଠାରୁ ନୂତନ ସଞ୍ଚୟ ଖାତା ଖୋଲିବା ପାଇଁ ୮୫ ହଜାର ଟଙ୍କା ଗ୍ରହଣ କରିଥିଲେ। ମାତ୍ର ଜମା ରସିଦ୍ରେ ଟଙ୍କା ପରିମାଣକୁ ହେରଫେର କରି ୮୫ ହଜାର ବଦଳରେ ୮ ହଜାର ୫୦୦ ଟଙ୍କା ଦର୍ଶାଇଥିଲେ। ଫଳରେ ୭୬ ହଜାର ୫୦୦ ଟଙ୍କା ସରକାରୀ ଖାତାରେ ଜମା ନକରି ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରଦୀପ କୁମାର ଦେବତା ପରିଚାଳନା କରୁଥିଲେ।

