ଅନୁଗୋଳ: ନିଶା କାରବାର ବିରୋଧରେ ଅନୁଗୋଳ ଅବକାରୀ ବିଭାଗର ବଡ଼ ଧରପଗଡ଼। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୋଟ ୯୬ କିଲୋ ୬୨୦ ଗ୍ରାମ ଗଞ୍ଜେଇ ଜବତ କରିଛି ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ ଲକ୍ଷ ୬୭ ହଜାର ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯିବା ସହ ଗୋଟିଏ ମୋଟରସାଇକେଲ ମଧ୍ୟ ଜବତ ହୋଇଛି। ମୋଟ ୪ଟି ଏନ୍ଡିପିଏସ୍ ମାମଲା ରୁଜୁ କରାଯାଇଛି।

ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଅନୁଗୋଳ ଷ୍ଟେସନ ନମ୍ବର-୨ ଟିମ୍ ପକ୍ଷରୁ ବାଗେଡ଼ିଆ ଥାନା ଅନ୍ତର୍ଗତ ଟେବୁଡୁ ଗ୍ରାମରେ କରାଯାଇଥିଲା। ଏଠାରୁ ୪୫ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ ସହ ପାଟକୁମୁଣ୍ଡା ଗ୍ରାମର ଭରଦ୍ୱାଜ ପ୍ରଧାନ (୪୦) ଓ ଅନିଲ ପ୍ରଧାନ (୨୮)ଙ୍କୁ ଗିରଫ କରାଯାଇଥିଲା।
ଦ୍ୱିତୀୟ ମାମଲାରେ ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍ ଜରପଡ଼ା ବ୍ରିଜ୍ ନିକଟ ହରିଜନ ସାହିରେ ଚଢ଼ାଉ କରି ୨୩ କିଲୋ ଗଞ୍ଜେଇ ଓ ଗୋଟିଏ ମୋଟରସାଇକେଲ ଜବତ କରିଥିଲା। ଏହି ଘଟଣାରେ ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋପୀନାଥପୁରର କଲ୍ୟାଣ ବେହେରା (୨୯)କୁ ଗିରଫ କରାଯାଇଛି।
ସେହିପରି ତୃତୀୟ ମାମଲାରେ ଅନୁଗୋଳ ରେଞ୍ଜ୍ ଟିମ୍ ରେଳବାଇ କଲୋନୀ ଅଞ୍ଚଳରୁ ୧୪ କିଲୋ ୨୨୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ସନ୍ଦୀପ ମହାନ୍ତିକୁ ଗିରଫ କରାଯାଇଛି ।
ଚତୁର୍ଥ ମାମଲାରେ ଜିଲ୍ଲା ମୋବାଇଲ୍ ୟୁନିଟ୍ ରେଳବାଇ କଲ୍ୟାଣ ମଣ୍ଡପ ନିକଟରେ ଚଢ଼ାଉ କରି ୧୪ କିଲୋ ଗଞ୍ଜେଇ ଜବତ କରିଥିଲା। ଏହି ମାମଲାରେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ଅନ୍ତର୍ଗତ ତନ୍ତ୍ରୀ ଅଞ୍ଚଳର ରାଜେଶ ପାଣ୍ଡେ (୪୩)ଙ୍କୁ ଗିରଫ କରାଯାଇଛି।
ଚାରିଟି ପୃଥକ୍ ମାମଲାରେ ଅବକାରୀ ବିଭାଗର ବିଭିନ୍ନ ଟିମ୍ ଏହି ଚଢ଼ାଉ କରିଥିଲେ। ନିଶାଦ୍ରବ୍ୟ ଚାଲାଣ ଓ କାରବାର ରୋକିବା ପାଇଁ ବିଭାଗ ପକ୍ଷରୁ ଏଭଳି ଚଢ଼ାଉ ଜାରି ରହିଛି

