ଅନୁଗୁଳରେ ନଥିବା ଅଧିକାରୀ ବି ଭସାଣି କମିଟିରେ

ଅନୁଗୁଳ – ଅନୁଗୁଳ ସହରର ଗଣେଶ ପୂଜା ଭସାଣିକୁ ନେଉ ଦ୍ଵନ୍ଦ ବହୁ କଷ୍ଟରେ ତୁଟି ଥିବା ବେଳେ ଉପ-ଜିଲ୍ଲାପାଳଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା । ଏବେ ଭସାଣି ପାଇଁ ଏକ କମିଟି ଗଠନ କରାଯାଇଛି , ସେହି କମିଟି ତାଲିକା ଦେଖିବା ପରେ ପୁଣି ଉପ-ଜିଲ୍ଲାପାଳଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି ଅନୁଗୁଳ ସହରବାସୀ । ପ୍ରକୃତରେ ଉପ-ଜିଲ୍ଲାପାଳ କିଛି ଜାଣି ପାରୁ ନାହାନ୍ତି ବୋଲି ସହରରେ ଚର୍ଚ୍ଚା ହେଉଛି । କାରଣ ସେ ଦେଇଥିବା ଚିଠି ନମ୍ବର 8086/ 1-09-25 ରେ ଯେଉଁ ତାଲିକା ଦେଇଛନ୍ତି , ସେଥିରେ ଜିଲ୍ଲାରୁ ୬ ମାସ ତଳୁ ବଦଳି ହୋଇ ସାରିଥିବା ଜଣେ ଅଧିକାରୀଙ୍କ ନାଁ ରହିଛି ।

ସୂଚନା ଅନୁସାରେ ଚଳିତ ବର୍ଷ ଅନୁଗୁଳ ସହରରେ ଗଣେଶ ପୂଜା ବଡ଼ ଧୁମଧାମରେ ପାଳନ କରା ଯାଉଛି । ଏହି ଗଣେଶ ପୂଜା ଆରମ୍ଭ ଦିନରୁ ସେଣ୍ଟ୍ରାଲ ପୂଜା କମିଟି ଗଠନ କରାଯାଇ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ପ୍ରଶାସନ , ପୁଲିସ ଏବଂ ଅନ୍ୟାନ୍ୟ ବିଭାଗ ସହ ଅନେକ ଥର ଆଲୋଚନା ହୋଇ ଭସାଣି କାର୍ଯ୍ୟକ୍ରମ ଓ ମେଳଣ ପାଇଁ ସମୟ ମଧ୍ୟ ସ୍ଥିର ହୋଇଥିଲା । ହେଲେ ପୂଜାର ଠିକ ପୂର୍ବଦିନ ଉପ-ଜିଲ୍ଲାପାଳ ବୈଠକ ଡକାଇ ମେଲଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କାହା ଚାପରେ ଏମିତି ହଠାତ ମେଲଣ ବନ୍ଦ କରାଗଲା ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନଙ୍କ ହସ୍ତକ୍ଷେପ ପରେ ମେଲଣ ହେବା ନେଇ ନିଷ୍ପତ୍ତି ନିଆ ଯାଇଥିଲା । ଏହି ନିଷ୍ପତ୍ତି ନିଆଯାଇଥିବା ବୈଠକରେ ସେତେବେଳେ ଉପ-ଜିଲ୍ଲାପାଳ ଥିବା ବେଳେ କାଳେ ବିଶୃଙ୍ଖଳା ହେବ ବୋଲି ମେଲଣ ବନ୍ଦ କରାଯାଇଥିଲା ବୋଲି କୁଆଡେ କହିଥିଲେ । ତେବେ ପୂର୍ବରୁ ସହରରେ ଅନେକ ପୂଜା ଭସାଣି ପ୍ରାୟ ଶାନ୍ତି ଶୃଙ୍ଖଳାରେ ହୋଇଥିବା ବେଳେ ଉପ-ଜିଲ୍ଲାପାଳ ଏଭଳି ଆଶଙ୍କା କରିବାକୁ ସହଜରେ ଗ୍ରହଣ କରି ପାରି ନଥିଲେ ପୂଜା କମିଟି । ପ୍ରଶାସନିକ ଅଧିକାରୀ ନିଜ ଉପରେ ଭରସା କରି ପାରୁନାହାନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ସେ ଯାହା ହେଉନା କାହିଁକି ମେଲଣ ହେବ ନହେବ ବିବାଦ ତୁଟି ସାରିଥିବା ବେଳେ ଏବେ ମେଲଣ ଓ ଭସାଣି ପାଇଁ ଏକ କମିଟି ତାଲିକା ଦେଇଥିବା ଉପଜିଲ୍ଲାପାଳ ପୁଣି ଚର୍ଚ୍ଚାକୁ ଆସିଛନ୍ତି। କାରଣ ତାଲିକାରେ ଯେଉଁ ଅଧିକାରୀ ମାନଙ୍କୁ ରଖାଯାଇଛି , ସେହି ଅଧିକାରୀ ମାନଙ୍କ ମଧ୍ୟରୁ ବିଦ୍ୟୁତ ବିଭାଗ ଏସ ଡି ଓ ସୁନୀଲ କୁମାର ନନ୍ଦଙ୍କ ଅନୁଗୁଳ ଜିଲ୍ଲାରୁ କେବେଠାଡୁ ବଦଳି ହୋଇ ସାରିଲାଣି । ତାଙ୍କ ସ୍ଥାନରେ ସିପକ ରଞ୍ଜନ ଦାଶ ଯୋଗ ଦେଇଛନ୍ତି । ହେଲେ ଉପଜିଲ୍ଲାପାଳ ଏହି ବଦଳି କଥା ଜାଣି ପାରି ନାହାନ୍ତି କି ବୋଲି ସନ୍ଦେହ କରିଛନ୍ତି ଅନୁଗୁଳ ସହରବାସୀ । ଏହା ଉପଜିଲ୍ଲାପାଳଙ୍କ ଅପାରଗତା ନା ଅଜ୍ଞାନତା ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *