ନବଜାତ ଶିଶୁ ପୁତ୍ର ଓ ସ୍ତ୍ରୀ କୁ ଛାଡ଼ି ସ୍ବାମୀ ଫେରାର, ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା

ଅନୁଗୁଳ –  ଏକ ସତର ଦିନର ଶିଶୁ ପୁତ୍ର କୁ ଧରି ଜଣେ ମହିଳା ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରି ଆସିଥିଲେ ଯେ, ତାଙ୍କୁ ତାଙ୍କ ସ୍ଵାମୀ ଛାଡ଼ି କେଉଁ ଆଡେ ଫେରାର ହୋଇ ଯାଇଛନ୍ତି । ତେବେ ଏନେଇ ସେ ପୂର୍ବରୁ ଅନୁଗୁଳ ଟାଉନ ଥାନା ଓ ପରେ ଜରପଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନଥିବା ମହିଳା ଜଣଙ୍କ ଦୁଃଖର ସହିତ ପ୍ରକାଶ କରିଛନ୍ତି ।

ସଂପୂର୍ଣ୍ଣ ଘଟଣାଟି ହେଉଛି ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳର ଜଣେ ଯୁବତୀ ତିନି ବର୍ଷ ତଳେ କୋରଡ଼ା ଗ୍ରାମର ଉମାକାନ୍ତ ସାହୁଙ୍କ ପୁଅ ସୂର୍ଯ୍ୟକାନ୍ତ ସାହୁଙ୍କୁ ମା ବୁଢୀ ଠାକୁରାଣୀ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ଉଭୟ ଏକ ଭଡ଼ା ଘର ନେଇ ଅନୁଗୁଳ ସହର ଗାନ୍ଧୀମାର୍ଗରେ ରହୁଥିଲେ । ପ୍ରଥମ ତିନି ଚାରି ମାସ ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲୁଥିବା ବେଳେ ତା ପରେ ସୂର୍ଯ୍ୟକାନ୍ତଙ୍କ ଦ୍ଵାରା ତାଙ୍କ ସ୍ତ୍ରୀ ଶାରୀରିକ, ମାନସିକ ଓ ଯୌତୁକ ଜନିତ ନିର୍ଯ୍ୟାତନା ସହି ଆସୁଥିଲେ । କିନ୍ତୁ ଯେହେତୁ ପ୍ରେମ ବିବାହ କରିଥିଲେ ତେଣୁ କିଛି କହୁ ନଥିଲେ । ସେ ଯେତେବେଳେ ଗର୍ଭବତୀ ଅବସ୍ଥାରେ ଥିଲେ ସେଇ ସମୟରେ ସୂର୍ଯ୍ୟକାନ୍ତଙ୍କ ପରିବାରର ଲୋକ ମାନେ ଓ ତାଙ୍କର ଜଣେ ବନ୍ଧୁ ଯୁବତୀଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ ଓ ସୂର୍ଯ୍ୟକାନ୍ତଙ୍କ ଠାରୁ ଦୂରେଇ ଯିବାକୁ ବାଧ୍ୟ କରିଥିଲେ । ହେଲେ ମଧ୍ୟ ସେ ଏହାକୁ ଗ୍ରହଣ ନକରି ମୁଁ ବିବାହ କରୁଛି ତେଣୁ ସେ ମୋ ସ୍ଵାମୀଙ୍କୁ ଛାଡ଼ି ପାରିବି ନାହିଁ ବୋଲି ମହିଳା ଜଣଙ୍କ କହିଥିଲେ । ହେଲେ ଏହାର ଗୋଟିଏ ଦିନ ପରେ ସୂର୍ଯ୍ୟକାନ୍ତ କେଉଁ ଆଡେ ଚାଲି ଯାଇଥିଲେ । ନିଜ ସ୍ବାମୀଙ୍କ ବିଷୟରେ ଜାଣିବା ପାଇଁ ମହିଳା ଜଣଙ୍କ ବାରମ୍ଵାର ସୂର୍ଯ୍ୟକାନ୍ତଙ୍କ ପରିବାରକୁ ଫୋନ୍ କରିଥିଲେ ମଧ୍ୟ ସେମାନେ ତାଙ୍କ ବିଷୟରେ ସୂଚନା ଦେବା ପରିବର୍ତ୍ତେ ମହିଳାଙ୍କୁ ଗାଳି ଗୁଳଜ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଏଥି ମଧ୍ୟରେ ମହିଳାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଏ ସବୁ ମଧ୍ୟରେ ମହିଳା ଜଣଙ୍କ ଅନୁଗୁଳ ଥାନା ଓ ଜରପଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ଆଜି ଅନୁଗୁଳ ଆରକ୍ଷୀ ଅଧିକ୍ଷକଙ୍କ ପାଖକୁ ନ୍ୟାୟ ପାଇଁ ଆସିଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page