ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡାକୁ ନୂତନ ବ୍ଲକ କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି । ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ଯ ଅନେକ ଥର ବୈଠକ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ଆଞ୍ଚଳିକ ବିକାଶ ପରିଷଦ କ୍ରିୟାନୁଷ୍ଠାନ କମିଟି ଜରପଡା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜରପଡାକୁ ନୂତନ ବ୍ଲକ କରିବା ପାଇଁ ଦାବି କରିଛନ୍ତି।
ଆଞ୍ଚଳିକ ବିକାଶ ପରିଷଦ କହିବା ଅନୁଯାୟୀ ଅନୁଗୁଳ ଜିଲ୍ଲାର ଜିଲ୍ଲା ମହକୁମା ଠାରୁ ଆଠମଲ୍ଲିକ ଉପଖଣ୍ଡ ତଥା କିଶୋରନଗର ବ୍ଲଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ବଇଣ୍ଡା ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ୪ଟି ବ୍ଲକର ୨୨ଟି ଗ୍ରାମପଞ୍ଚାୟତ ଅବସ୍ଥିତ । ଏହି ୨୨ଟି ଗ୍ରାମପଞ୍ଚାୟତର ଦୂରତା, ଅନୁଗୁଳ ଜିଲ୍ଲା ମହକୁମାଠାରୁ ୨୦ ରୁ ୫୦ କିଲୋମିଟର, ଛେଣ୍ଡିପଦା ବ୍ଲକ ମହକୁମା ଠାରୁ ୨୫ ରୁ ୪୦ କିଲୋମିଟର, ବଅଁରପାଳ ବ୍ଲଳ ମହକୁମା ଠାରୁ ୩୦ ରୁ ୪୦ କିଲୋମିଟର ଓ କିଶୋରନଗର ବ୍ଲକ ମହକୁମା ଠାରୁ ୪୦ କିଲୋମିଟର । ଯେ କୌଣସି ପ୍ରଶାସନିକ କାର୍ଯ୍ୟ ପାଇଁ ସୁବିଧା ଅସୁବିଧାରେ ଲୋକମାନଙ୍କ ଆବଶ୍ୟକତା ପଡ଼ିଲେ ଦୂରତା ପ୍ରତିବନ୍ଧକ ସୃଷ୍ଟି କରୁଛି । ଫଳରେ ଉକ୍ତ ଅଞ୍ଚଳର ଜନସାଧାରଣ ନିଜର ମୌଳିକ ସୁବିଧା ହାସଲ ନିମନ୍ତେ ଘୋର ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି। ଅନୁଗୁଳ ବ୍ଲକର ତିନୋଟି ପଞ୍ଚାୟତ, କିଶୋରନଗର ବ୍ଲକର ଗୋଟିଏ ପଞ୍ଚାୟତ, ଛେଣ୍ଡିପଦା ବ୍ଲକର ଏଗାରଟି ପଞ୍ଚାୟତ, ବଅଁରପାଳ ବ୍ଲକର ସାତଟି ପଞ୍ଚାୟତକୁ ନେଇ ଜରପଡାକୁ ବ୍ଲକ କରିବା ପାଇଁ ଦାବି କରାଯାଇଛି ।