ମିଛ ଅଭିଯୋଗ କରି ଅନୁଷ୍ଠାନକୁ ବଦନାମ କରାଯାଉଛି – ଆଦର୍ଶ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ

ଅନୁଗୋଳ – ଗତ କିଛି ଦିନ ଧରି ସାମାଜିକ ଗଣମାଧ୍ୟମରେ ଜଣେ ଯୁବକ ଆଦର୍ଶ ଇଞ୍ଜିନିୟରିଂ କଲେଜ ବିରୋଧରେ କରିଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ପ୍ରସଙ୍ଗରେ ମୁହଁ ଖୋଲି କଲେଜ ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ସିଂ ଯୁବକଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଅନୁଷ୍ଠାନର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ପାଇଁ ଯୋଜନାବଦ୍ଧ ଭାବେ ମିଥ୍ୟା ପ୍ରଚାର କରାଯାଉଥିବା ଅଭିଯୋଗ କରିଛନ୍ତି।

ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ଯୁବକ ଆଡମିଶନ ପାଇଁ କଲେଜକୁ ଆସିଥିଲେ ମଧ୍ୟ ତାଙ୍କ ନିକଟରେ SAMS ଆଲଟମେଣ୍ଟ କପି ନଥିଲା। ସେହିପରି କଲେଜକୁ ଚଏସ୍ ଦେବା ପାଇଁ ଆବଶ୍ୟକ ୩୦୦ ଟଙ୍କା ଶୁଳ୍କ ମଧ୍ୟ ସେ ଜମା କରିନଥିଲେ। ଏହି କାରଣରୁ ନିୟମ ଅନୁଯାୟୀ ତାଙ୍କର ନାମଲେଖା ସମ୍ଭବ ନୁହେଁ ବୋଲି କର୍ମଚାରୀମାନେ ସ୍ପଷ୍ଟ କରିଥିଲେ।

ଏହା ପରେ ଯୁବକ ଜଣକ ଡାଇରେକ୍ଟରଙ୍କ କକ୍ଷକୁ ଯାଇ ସମାନ ପ୍ରଶ୍ନ ବାରମ୍ବାର ପଚାରିଥିଲେ। ଡାଇରେକ୍ଟର ତାଙ୍କ ଦସ୍ତାବିଜ ଯାଞ୍ଚ କରିବା ପରେ ମଧ୍ୟ ନିୟମ ଅନୁଯାୟୀ ଆଡମିଶନ ସମ୍ଭବ ନୁହେଁ ବୋଲି କହିଥିଲେ। ତେବେ ଯୁବକ ଉଚ୍ଚ ସ୍ୱରରେ ଯୁକ୍ତିତର୍କ କରିବାରୁ ତାଙ୍କୁ କକ୍ଷରୁ ବାହାରକୁ ଯିବାକୁ କୁହାଯାଇଥିଲା।

ଡ଼. ସିଂଙ୍କ ଅଭିଯୋଗ ଅନୁଯାୟୀ, ଏହି ସମୟର କିଛି କଥୋପକଥନକୁ ଗୁପ୍ତରେ ରେକର୍ଡ କରାଯାଇଥିଲା। ପରେ ସେଥିରେ ଅନ୍ୟାନ୍ୟ ତଥ୍ୟ ଯୋଡ଼ି ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇ ଅନୁଷ୍ଠାନକୁ ବଦନାମ କରିବାର ଅପଚେଷ୍ଟା କରାଯାଉଛି। କିଛି କୁଚକ୍ରୀ ଗୋଷ୍ଠୀଙ୍କ ପ୍ରରୋଚନାରେ ଏଭଳି ମିଥ୍ୟା ପ୍ରଚାର ଚାଲିଥିବା ବୋଲି ସେ ଦାବି କରିଛନ୍ତି।

ଅଧ୍ୟକ୍ଷ କହିଛନ୍ତି ଯେ, ଆଦର୍ଶ ଇଞ୍ଜିନିୟରିଂ କଲେଜ ସର୍ବଦା ସରକାରୀ ନିୟମାବଳୀ ଅନୁଯାୟୀ ଆଡମିଶନ ପ୍ରକ୍ରିୟା ପରିଚାଳନା କରୁଛି ଏବଂ ଅନୁଷ୍ଠାନର ଭାବମୂର୍ତ୍ତି ନଷ୍ଟ କରିବା ଉଦ୍ଦେଶ୍ୟରେ ହେଉଥିବା ଏପରି ପ୍ରଚାରର କୌଣସି ସତ୍ୟତା ନାହିଁ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page