ଅନୁଗୋଳ – ଟ୍ରକ୍ ଚାଳକ ଓ ଏକ ପେଟ୍ରୋଲ ପମ୍ପକୁ ଟାର୍ଗେଟ୍ କରି ଡକାୟତି କରିବା ପାଇଁ ଯୋଜନା ଚାଲିଥିବା ବେଳେ ଅନୁଗୋଳ ସଦର ଥାନା ପୋଲିସ ଏକ ବଡ଼ ଡକାୟତି ଷଡ଼ଯନ୍ତ୍ରକୁ ପଣ୍ଡ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଶରଧାପୁର ଏନଏଚ୍-୫୫ ବାଇପାସ୍ ନିକଟସ୍ଥ ଲିଙ୍ଗରାଜୋଡ଼ି ଗ୍ରାମର ଏକ ଆମ୍ବତୋଟାରେ ଚଢ଼ାଉ କରି ଡକାୟତି ଯୋଜନା କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ମିଳିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସଦର ଥାନା ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଅଭିଯୁକ୍ତମାନଙ୍କୁ କାବୁ କରାଯିବା ସହ ୨ଟି ମୋଟରସାଇକେଲ, ୨ଟି ଖଣ୍ଡା (କଟୁରୀ), ୨ଟି ଲୁହା ରଡ଼, ୬ଟି କଳା ମୁଖା, ୨ଟି ମୋବାଇଲ ଫୋନ୍ ଏବଂ ୨ ବୋତଲ ମଦ ଜବତ କରିଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ରାଜନ ଓରଫ ପୂର୍ଣ୍ଣଚନ୍ଦ୍ର ନାହାକ (୧୭), ନାଗା ଓରଫ ସୋମେଶ ମହାପାତ୍ର (୨୦), ଛେଣ୍ଟୁ ଓରଫ ମୋହନ ନାଏକ (୧୭), ରାକେଶ ନାଏକ (୨୦), ରାହୁଲ ନାଏକ (୧୭) ଏବଂ ଅମୂଲ୍ୟ ନାଏକ (୧୮)। ସେମାନଙ୍କ ବିରୋଧରେ ଅନୁଗୋଳ ସଦର ଥାନା କେସ୍ ନଂ–୫୯୫, ତାରିଖ ୦୩.୦୮.୨୦୨୬ରେ ବିଏନଏସ୍-୨୦୨୩ର ଧାରା ୩୧୦(୪)/୩୧୦(୫) ସହ ଅସ୍ତ୍ର ଆଇନର ଧାରା–୨୫ ଅନୁଯାୟୀ ମାମଲା ରୁଜୁ ହୋଇଛି।
ପ୍ରାଥମିକ ପଚରାଉଚରା ବେଳେ ଅଭିଯୁକ୍ତମାନେ ଟ୍ରକ୍ ଚାଳକଙ୍କୁ ଲୁଟିବା ସହ କରଡାଗାଡ଼ିଆସ୍ଥିତ ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଏକାଠି ହୋଇଥିବା କଥା ସ୍ୱୀକାର କରିଥିବା ପୋଲିସ କହିଛି।

ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିବା ବେଳେ, ସେମାନଙ୍କର ପୂର୍ବରୁ ଘଟିଥିବା ଅନ୍ୟ କୌଣସି ଅପରାଧ ସହ ସମ୍ପୃକ୍ତି ରହିଛି କି ନାହିଁ ଏବଂ ଏହି ଗ୍ୟାଙ୍ଗ ସହ ଅନ୍ୟ କିଏ ଜଡ଼ିତ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

