ଅନୁଗୋଳ – ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ମନ୍ଦିର ପୂଜକଙ୍କୁ ଆଜୀବନ କାରାଦଣ୍ଡ ସହ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳସ୍ଥିତ ଆଡ୍-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (FTSC) ଶ୍ରୀ ବିରଞ୍ଚି ନାରାୟଣ ମିଶ୍ର। ସମାଜର ବିଶ୍ୱାସକୁ ଭଙ୍ଗ କରି ମନ୍ଦିର ପରିସରରେ ଜଣେ ୧୬ ବର୍ଷରୁ କମ୍ ବୟସ୍କ ଅନୁସୂଚିତ ଜାତିର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଦାଲତ ଏହି ଐତିହାସିକ ରାୟ ପ୍ରକାଶ କରିଛନ୍ତି।
ରାୟରେ ଅଦାଲତ କହିଛନ୍ତି ଯେ, ପୂଜା କରିବାର ବାହାନାରେ ମନ୍ଦିର ଭିତରେ ଏଭଳି ଜଘନ୍ୟ ଅପରାଧ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ସମାଜ ପ୍ରତି ବିଶ୍ୱାସଘାତକତା। ପୂଜକ ବେଶରେ ଅଭିଯୁକ୍ତ ଜଣକ ସହାୟତାହୀନ ଶିଶୁକୁ ଶିକାର କରିଥିବାରୁ ସେ କୌଣସି ପ୍ରକାର ଦୟା କିମ୍ବା ଅନୁକମ୍ପାର ଯୋଗ୍ୟ ନୁହେଁ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।
ଠାକୁରଗଡ଼ ଥାନା କେସ୍ ନଂ–୦୧/୨୦୨୪ (୨୭ ଅଗଷ୍ଟ ୨୦୨୪) ଉପରେ ବିଚାର କରି ଏଭଳି ରାୟ ପ୍ରକାଶ କରିଛନ୍ତି। ଦୋଷୀ ଦୁଃଖନାଶନ ବିଶି ଓରଫ ଘାସି ବିଶି (୨୪), ସୋନପୁର ଜିଲ୍ଲାର କେଲଗାଁ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ଘଟଣା ସମୟରେ ଅନୁଗୋଳ ଜିଲ୍ଲା ଟାଇଲିସର ଅଞ୍ଚଳରେ ରହୁଥିଲେ।
କୋର୍ଟ POCSO ଆଇନର ଧାରା ୪(୨) ଅନୁଯାୟୀ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା କରିଥିବା ବେଳେ, ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୬୫(୧) ଅନୁଯାୟୀ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା ଏବଂ SC/ST (POA) ଆଇନର ଧାରା ୩(୨)(v) ଅନୁଯାୟୀ ୧ ବର୍ଷର ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି। ସମସ୍ତ ମୁଖ୍ୟ ଦଣ୍ଡାଦେଶ ଏକକାଳୀନ (concurrently) ଚାଲିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗୋଳ -ଢେଙ୍କାନାଳ ଡେପୁଟି ଡାଇରେକ୍ଟର ଗଣେଶ କୁମାର ବେହେରାଙ୍କ ତତ୍ୱାବଧାନରେ ସରକାରୀ ଓକିଲ ରଞ୍ଜନ ପାତ୍ର ମାମଲା ପରିଚାଳନା କରିଥିଲେ।


